୫ଶହ ଟଙ୍କିଆ ନକଲି ନୋଟ

ଅମରପାଲି,୧୧ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ଅଞ୍ଚଳରେ ନକଲି ୫ ଶହ ଟଙ୍କିଆ ନୋଟ ଦେଖିବାକୁ ମିଳିଛି। ଉକ୍ତ ଥାନା ଅନ୍ତର୍ଗତ ପିତାମହୁଲ ପଞ୍ଚାୟତ ଟେଭାପଦର ଗ୍ରାମରେ ଜଣେ ଦୋକାନୀଙ୍କୁ ଜଣେ ଅଜଣା ବ୍ୟକ୍ତି ତିନୋଟି ୫ ଶହ ଟଙ୍କିଆ ନୋଟ ଦେଇ ତେଜରାତି ସାମଗ୍ରୀ ନେଇଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଟେଭାପଦର ଗ୍ରାମର କ୍ଷମାନିଧି ସାହୁ ଅସୁସ୍ଥ ଥିବାରୁ ସେ କରିଥିବା ତେଜରାତି ଦୋକାନରେ ତାଙ୍କ ସ୍ତ୍ରୀ ବସି ବିକ୍ରି କରୁଥିଲେ। ରବିବାର ମଧ୍ୟାହ୍ନ ସମୟରେ କେହି ଜଣେ ବ୍ୟକ୍ତି ୩୦୦ ଟଙ୍କାର ତେଜରାତି ସାମଗ୍ରୀ କିଣି ୫୦୦ ଟଙ୍କା ଦେଇଥିଲେ। ପୁଣି କିଛି ସମୟ ପରେ ସମ୍ପୃକ୍ତ ବ୍ୟକ୍ତି ସେହି ଦୋକାନକୁ ଆସି ୭ ଶହ ଟଙ୍କାର ଜିନିଷ କିଣି ଦୁଇଟି ୫ଶହ ଟଙ୍କିଆ ନୋଟ ଦେଇଥିଲେ। ଦୋକାନୀଙ୍କ ସ୍ତ୍ରୀ ବଳକା ଟଙ୍କା ଫେରାଇ ୫ ଶହ ଟଙ୍କିଆ ନୋଟ ରଖିଥିଲେ। ପରବର୍ତ୍ତୀ ସମୟରେ କେହି ଜଣେ ଟଙ୍କା ଦେଖି ତାହା ନକଲି ବୋଲି କହିଥିଲା। ଯାଞ୍ଚ କରିବାରୁ ତାହା ନକଲି ବୋଲି ଜଣାପଡିଥିଲା। ଦୋକାନୀ ଜଣକ ରୋଗଗ୍ରସ୍ତ ଥିବାରୁ ସୋମବାର ଏ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବେ ବୋଲି ଜଣାଇଛନ୍ତି। ସୁବଳୟା ଅଞ୍ଚଳରେ ନକଲି ୫ ଶହ ଟଙ୍କିଆ ନୋଟ କାରବାର ହେଉଥିବା ଜାଣି ଲୋକଙ୍କ ମଧ୍ୟରେ ଛନକା ପଶିଛି। କିଛିଦିନ ପୂର୍ବରୁ ଉଲୁଣ୍ଡା ଅଞ୍ଚଳରୁ ପ୍ରାୟ ୪୧ ଲକ୍ଷ ଟଙ୍କାର ନକଲି ପାଞ୍ଚ ଶହ ଟଙ୍କିଆ ନୋଟ ଏସ୍‌ଟିଏଫ ଜବତ କରିବା ସହ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ତେବେ ଅଞ୍ଚଳରେ ଆହୁରି ଅନେକ ନକଲି ଟଙ୍କା ଘୂରି ବୁଲୁଥିବା ସନ୍ଦେହ କରାଯାଉଛି। ଏନେଇ ସୁବଳୟା ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନଙ୍କୁ ଯୋଗାଯୋଗ କରିବାରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ ବୋଲି ପ୍ରକାଶ କରିଛନ୍ତି। ପୋଲିସ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Share