ନୂଆଦିଲ୍ଲୀ,୪।୨(ଆଇଏଏନ୍ଏସ୍): ସୁପ୍ରିମକୋର୍ଟରେ ଖୁବ୍ଶୀଘ୍ର ୫ ନୂଆ ବିଚାରପତି ନିଯୁକ୍ତ ହେବାକୁ ଯାଉଛନ୍ତି। ଏନେଇ ଶୁକ୍ରବାର କେନ୍ଦ୍ର ସରକାର ଦୁଇଜଣିଆ ଖଣ୍ଡପୀଠଙ୍କୁ ସୂଚନା ଦେଇଛନ୍ତି। ନୂଆ ନିଯୁକ୍ତିକୁ ଖୁବ୍ଶୀଘ୍ର ମଞ୍ଜୁରୀ ମିଳିଯିବ ବୋଲି ଆଟର୍ନି ଜେନେରାଲ ଆର୍. ଭେଙ୍କଟରମଣୀ କହିଥିଲେ। ସୁପ୍ରିମକୋର୍ଟରେ ନିଯୁକ୍ତି ଲାଗି କଲେଜିୟମ ଡିସେମ୍ବର ୧୩ରେ ୫ ବିଚାରପତିଙ୍କ ନାମ ସୁପାରିସ କରିଥିବାବେଳେ ଜାନୁୟାରୀ ୩୧ରେ ଆଉ ୨ ଜଣଙ୍କ ନାମ ପଠାଇଛନ୍ତି। ଫେବୃୟାରୀ ହେଲାଣି। ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ନା ନାହିଁ ବୋଲି ଜଷ୍ଟିସ୍ ସଞ୍ଜୟ କିଶନ କୌଲ ଏବଂ ଅଭୟ ଏସ୍.ଓକାଙ୍କ ଖଣ୍ଡପୀଠ ଆଟର୍ନି ଜେନେରାଲଙ୍କୁ ପ୍ରଶ୍ନ କରିଥିଲେ। ରବିବାର ସୁଦ୍ଧା ଏନେଇ ନିଷ୍ପତ୍ତି ହୋଇପାରେ ବୋଲି ଭେଙ୍କଟରମଣୀ କହିଥିଲେ। ସୁପ୍ରିମକୋର୍ଟର ମଞ୍ଜୁରିପ୍ରାପ୍ତ ବିଚାରପତି ସଂଖ୍ୟା ୩୪ ହୋଇଥିବାବେଳେ ଏବେ ୨୭ ଜଣରେ କାର୍ଯ୍ୟ କରୁଛି। ୭ ବିଚାରପତି ପଦବୀ ଖାଲି ପଡ଼ିଛି।