ମନ୍ତ୍ରୀଙ୍କ ବଡ଼ ଘୋଷଣା: ସହରର ଗରିବଙ୍କୁ ମିଳିବ…

ଭୁବନେଶ୍ୱର, ୭।୯(ସୁନିତ୍‌ ମିଶ୍ର): ରାଜ୍ୟର ପ୍ରତ୍ୟେକ ସହରକୁ ବିକଶିତ ସହରରେ ପରିଣତ କରିବା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଲକ୍ଷ୍ୟ। ଓଡ଼ିଶାର ୧୧୫ଟି ପୌରସଂସ୍ଥାରେ ଆମ ଜନସଂଖ୍ୟାର ୨୦ ପ୍ରତିଶତ ଲୋକ ବାସ କରୁଛନ୍ତି। ଆମ ସହର ଓ ନଗରଗୁଡିକୁ ଯୋଜନାବଦ୍ଧ ଭାବେ ବିକଶିତ କରିବା ଲାଗି ବିଭାଗ ଅଙ୍ଗୀକାରବଦ୍ଧ। କଟକ ଏବଂ ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ କରିବା ଲାଗି ଭାଜପା ସରକାର ଅନେକ ଯୋଜନା କରୁଛନ୍ତି। ଜନସାଧାରଣ ପରିବହନ ବିକାଶର ଏକ ମୂଳାଧାର ହୋଇଥିବାରୁ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରକୁ ତ୍ରିଶୂଳିଆ ସହ ମେଟ୍ରୋ ରେଳ ଦ୍ୱାରା ସଂଯୋଗୀକରଣ କାମକୁ ତ୍ୱରାନ୍ବିତ ଗତିରେ ଆଗେଇନେବୁ। ସଡ଼କ ପଥରେ ଯାତ୍ରାକୁ ସୁଗମ କରିବା ଲାଗି ପିଏମ୍‌ ଇ-ବସ୍‌ ଯୋଜନାରେ ୪୦୦ଟି ଇ-ବସ୍‌ ଯୋଗାଯାଉଛି। ସହରରେ ବାସ କରୁଥିବା ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଅର୍ବାନ) ଅଧୀନରେ ୫ ଲକ୍ଷ ବାସଗୃହ ନିର୍ମାଣର ଯୋଜନା କରାଯାଇଥିବା ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସମ୍ବଳିତ ଖର୍ଚ୍ଚଦାବି ଆଲୋଚନା ପରେ ଗୃହରେ ଉତ୍ତର ରଖିବା ଅବସରରେ ମନ୍ତ୍ରୀ ମହାପାତ୍ର କହିଛନ୍ତି, ୨୦୨୪-୨୫ ଆର୍ଥିକ ବର୍ଷ ଲାଗି ୯୬୧୨,୦୯,୦୫,୦୦୦ ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହା ଗତବର୍ଷର ବଜେଟ ତୁଳନାରେ ୨୨ ପ୍ରତିଶତ ଅଧିକ। ଏଥର ରାଜ୍ୟ ସରକାର ଅମୃତ ଯୋଜନାରେ ୭୬୪ କୋଟି, ବସୁଧା ଯୋଜନାରେ ୧୧୨ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ସହରାଞ୍ଚଳ ପରିମଳ ଲାଗି ସ୍ବଚ୍ଛ ସର୍ବେକ୍ଷଣରେ ଓଡ଼ିଶା ୪ ନମ୍ବରରେ ଥିବା ବେଳେ ଏହାକୁ ୧ ନମ୍ବରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ସ୍ବଚ୍ଛ ଭାରତ ମିଶନରେ ୫୩୩.୬୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ଯାହା ପୂର୍ବ ବ୍ୟୟ ବରାଦର ୨ ଗୁଣା। ରାଜ୍ୟ ସରକାର ପିଏମ୍‌ ସ୍ବନିଧି ଯୋଜନାରେ ଅଦ୍ୟାବଧି ୯୦,୪୭୧ ଜଣଙ୍କୁ ଋଣ ପ୍ରଦାନ କରିଛନ୍ତି। ଏହି ଯୋଜନାରେ ସରକାର ଏଥର ଲକ୍ଷେରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ସ୍ମାର୍ଟ ଆଇଡି ଏବଂ ସାର୍ଟିଫିକେଟ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଜାଗା ମିଶନରେ ରାଜ୍ୟ ସରକାର ୧୦୦ କୋଟି ଓ ସହରାଞ୍ଚଳ ଗୃହ ନିର୍ମାଣ ଯୋଜନାରେ ୬୯୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ସହରାଞ୍ଚଳ ପରିବହନ ଯୋଜନାରେ ଓଡ଼ିଶା ମେଟ୍ରୋ ରେଳ ପରିବହନ ଯୋଜନାରେ ତ୍ରିଶୂଳିଆଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ୨୬ କି.ମି.ର ମେଟ୍ରୋ ପ୍ରକଳ୍ପର ବ୍ୟବସ୍ଥା କରିଛନ୍ତି। ଏଥିଲାଗି ୬ ବର୍ଷରେ ୬୨୫୫.୯୪ କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୨୪-୨୫ରେ ଏଥିଲାଗି ହଜାରେ କୋଟି ଟଙ୍କା ଖର୍ଚ୍ଚ ହେବ। ଆଗକୁ କ୍ୟାପିଟଲ ଛକ, ରାଜମହଲ ଛକ, ବାଣୀବିହାର ଛକ, ଜୟଦେବ ବିହାର ଛକ ଓ ପଟିଆ ଛକ ସମେତ ମୋଟ୍‌ ୨୦ଟି ମେଟ୍ରୋ ରେଳ ଷ୍ଟେଶନ ନିର୍ମାଣ ହେବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର କହିଛନ୍ତି।

Share