କଟକ, ୨୫ା୩(ଶିଳ୍ପା ପ୍ରିୟଦର୍ଶିନୀ)- କଟକ ବାଦାମବାଡ଼ିସ୍ଥିତ ବିକାଶ ନଗର ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ମାଡ଼ ମାରିବା ସହ ଦୁର୍ବୃତ୍ତମାନେ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଲୁଟ୍ର ଶିକାର ହୋଇଛନ୍ତି ମାଲଗୋଦାମର ମସଲା ବ୍ୟବସାୟୀ ନିରଞ୍ଜନ ଗୋଏଙ୍କା। ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ମାଡ଼ ମାରିଥିବା ନେଇ ବାଦାମବାଡ଼ି ଥାନାରେ ଅଭିଯୋଗ ହୋଇଛି। ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛି।
ସୂଚନା ଅନୁଯାୟୀ, ରାତିରେ ନିରଞ୍ଜନ ମାଲଗୋଦାମରୁ ଗୋଦାମ ବନ୍ଦ କରି ଗାଡ଼ି ଯୋଗେ ଡ୍ରାଇଭରଙ୍କ ସହ ବାଦାମବାଡ଼ି ଥାନା ଅନ୍ତର୍ଗତ ବିକାଶଭବନ ନିକଟ କୌସ୍ତୁଭ ଟାୱାରରେ ଥିବା ତାଙ୍କ ଘରକୁ ଯାଇଥିଲେ। ଆପାର୍ଟମେଣ୍ଟରେ ପହଞ୍ଚି ପ୍ରଥମ ମହଲାରେ ଥିବା ତାଙ୍କ ଘରକୁ ଯାଉଥିଲେ।
ଏହି ସମୟରେ ଘର ଶିଢ଼ି ପାହାଚ ନିକଟରେ ଦୁର୍ବୃତ୍ତ ଦଳ ତାଙ୍କୁ ବନ୍ଧୁକ ଦେଖାଇ ଆକ୍ରମଣ କରିଥିଲେ। ଏଥିସହ ତାଙ୍କ ପାଖରେ ଥିବା ୫ ଲକ୍ଷ ଟଙ୍କା ଲୁଟିନେଇଥିଲେ। ନିକଟରେ ଥିବା ତାଙ୍କ ଗାଡ଼ି ଡ୍ରାଇଭର ଦୌଡ଼ିଯାଇ ଦୁର୍ବୃତ୍ତମାନଙ୍କୁ ବାଧା ଦେବାକୁ ଚେଷ୍ଟା କରିବାରୁ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ।
ଖବର ପାଇ ବାଦାମବାଡ଼ି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଆହତ ଦ୍ୱୟଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ପୋଲିସ ଉକ୍ତ ସ୍ଥାନରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ ଜବତ କରିବା ସହ ସମ୍ପୃକ୍ତ ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ ଏବଂ ଅନ୍ୟ ୨ଜଣ ବ୍ୟକ୍ତିଙ୍କ ବୟାନ ରେକର୍ଡ କରିଛି। ସିସିଟିଭି ଫୁଟେଜ ଆଧାରରେ ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ପୋଲିସ ପ୍ରୟାସ ଜାରି ରଖିଛି। ନିରଞ୍ଜନଙ୍କୁ ମାଲଗୋଦାମରୁ ଦୁର୍ବୃତ୍ତମାନେ ପିଛା କରିଥିଲେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଥିବା ସୂଚନା ମିଳିଛି।
