ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଚିତ୍ରକୋଣ୍ଡା,୧୮।୧: ବର୍ଷ ଆରମ୍ଭରୁ ପୁଣି ଚିତ୍ରକୋଣ୍ଡା ପୋଲିସକୁ ଆଉ ଏକ ସଫଳତା ମିଳିଛି। ରବିବାର ବିଳମ୍ବିତ ରାତିରେ ଚିତ୍ରକୋଣ୍ଡା ପୋଲିସ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ୯ କୁଇଣ୍ଟାଲ ଗଞ୍ଜେଇ ସହ ଗୋଟିଏ ବୋଲେରୋ ପିକ୍‌ଅପ୍‌ ଭ୍ୟାନକୁ ଜବତ କରିଛି। ପୋଲିସ ଘଟଣାରେ ସମ୍ପୃକ୍ତ ପଣଷଗନ୍ଧି ଗ୍ରାମର ଲେବିଓ ପାଙ୍ଗିଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ପୋଲିସ ତାଙ୍କଠାରୁ ନଗଦ ୧୨୦୦ ଟଙ୍କା, ମୋବାଇଲ ଫୋନ, ଅନ୍ୟାନ୍ୟ କାଗଜପତ୍ର ଜବତ କରିଛି।
ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକଙ୍କ କହିବା ମୁତାବକ, ରବିବାର ରାତିରେ ଚିତ୍ରକୋଣ୍ଡା ପୋଲିସ କର୍ମଚାରୀ ପାଟ୍ରୋଲିଂ କରୁଥିଲେ। ସେତିକିବେଳେ ବନଗୁରୁ-ରେଖାପାଲି ରାସ୍ତାରେ ଏକ ବୋଲେରୋ ପିକ୍‌ଅପ୍‌ ଭ୍ୟାନ୍‌ (ନଂ.ଓଆର୨୪ବି-୦୯୧୪) ଯାଉଥିଲା। ଗାଡିକୁ ଅଟକାଇ ପୋଲିସ କର୍ମଚାରୀମାନେ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଗାଡିରେ ୩୦ଟି ବ୍ୟାଗରେ ଗଞ୍ଜେଇ ଥିବା ଜଣାପଡିଥିଲା। ଏହାର ଓଜନ ୯ କୁଇଣ୍ଟାଲ ହୋଇଥିବା ବେଳେ ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ ନାୟକ କହିଛନ୍ତି। ପୋଲିସ ତଦନ୍ତ ପରେ ଗଞ୍ଜେଇ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ଜାଣିବାକୁ ପାଇଛି। ଏନେଇ ଚିତ୍ରକୋଣ୍ଡା ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

Share