Categories: ଖେଳ

ଜାତୀୟ ସାମ୍ବୋରେ ଓଡ଼ିଶାକୁ ୫ ପଦକ

ଭୁବନେଶ୍ୱର, ୫।୧୨ (କ୍ରୀଡ଼ା ପ୍ରତିନିଧି): ଜମ୍ମୁସ୍ଥିତ ଭଗବତୀ ନଗର ସ୍ପୋଟର୍‌ସ କମ୍ପ୍ଲେକ୍ସରେ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ଜାତୀୟ ସାମ୍ବୋ (ମାର୍ଶାଲ ଆର୍ଟର ଏକ ଷ୍ଟାଇଲ) ଚାମ୍ପିୟନଶିପ୍‌ରେ ଓଡ଼ିଶା ଦଳ ମୋଟ ୫ଟି ପଦକ ହାସଲ କରିଛି। ଏହା ମଧ୍ୟରେ ୨ଟି ଲେଖାଏ ସ୍ବର୍ଣ୍ଣ ଓ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ସାମିଲ। ସୁପ୍ରିୟା କୁମାରୀ ଦାଶ ୪୭ କେଜି ୧୦ରୁ ୧୨ ବର୍ଷ ବର୍ଗ ଏବଂ ମହମ୍ମଦ ୟାଶ୍‌ ଖାଁ ୭୧ କେଜି ୧୬ରୁ ୧୮ ବର୍ଷ କମ୍ବାଟ ସାମ୍ବୋରେ ସ୍ବର୍ଣ୍ଣ ପଦକ ପାଇଛନ୍ତି।

ସେହିପରି ମହମ୍ମଦ ଦକ୍ଷ ଖାଁ ୫୧ କେଜି ୧୪ରୁ ୧୬ ବର୍ଷ ଓ ମହମ୍ମଦ ୟାଶ୍‌ ଖାଁ ୭୧ କେଜି ୧୬ରୁ ୧୮ ବର୍ଷ ବାଳକରେ ରୌପ୍ୟ ପଦକ ଏବଂ ଆର୍ଯ୍ୟନ ଶର୍ମା ୪୫ କେଜି ୧୦ରୁ ୧୨ ବର୍ଷ ବାଳକରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଓଡ଼ିଶା ସାମ୍ବୋ ଆସୋସିଏଶନର ସଭାପତି ତଥା ଅନ୍ତର୍ଜାତୀୟ ଖେଳାଳି ବିଭୂତି ଭୂଷଣ ବେହେରା କୋଚ୍‌ ଏବଂ ଜିତେନ୍ଦ୍ର ମିଶ୍ର ମ୍ୟାନେଜର ଭାବେ ଦଳ ସହ ରହିଥିଲେ। ପ୍ରତିଯୋଗିତା ଅବସରରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଜଜ୍‌ ଓ ରେଫରି ସେମିନାରରେ ବିଭୂତି ଅଂଶଗ୍ରହଣ କରିଥିଲେ।

Share