Categories: ଜାତୀୟ

ଗଞ୍ଜେଇ ଚାଷ କରୁଥିବା ୫ ଡାକ୍ତରୀ ଛାତ୍ର ଗିରଫ

ଶିବମୋଗା, ୨୬ା୬ : କର୍ନାଟକର ଶିବମୋଗାରେ ଗଞ୍ଜେଇ ଚାଷ କରିବା ସହ ଚୋରା କାରବାର କରିବା ଅଭିଯୋଗରେ ୫ ଜଣ ଡାକ୍ତରୀ ଛାତ୍ରଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣ ଏକ ଭଡ଼ାଘରେ ରହୁଥିଲେ। ସେମାନେ ଘର ଭିତରେ ଗଞ୍ଜେଇ ଚାଷ କରୁଥିଲେ ବୋଲି ପୋଲିସ କହିଛି। ଏହା ବ୍ୟତୀତ ବିଜୟପୁରା ଓ ବଲ୍ଲାରିରୁ ଦୁଇଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୪୬୬ ଗ୍ରାମ ଗଞ୍ଜେଇ ସହ ୨୦ ହଜାର ଟଙ୍କା ମୂଲ୍ୟର ଅନ୍ୟ କେତେକ ବେଆଇନ ସାମଗ୍ରୀ ଜବତ ହୋଇଛି। ହାଲେ ଗୁରୁପୁରାରେ ଭଡ଼ାଘରେ ରହୁଥିବା ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳରେ ଗଞ୍ଜେଇ ବିକୁଥିବା ଖବର ପାଇବା ପରେ ପୋଲିସ ଚଢ଼ାଉ କରିଥିଲା। ସେହିପରି ଶିବଗଙ୍ଗା ଲେଆଉଟ୍‌ରେ ଭଡ଼ାଘରେ ରହୁଥିବା ୩ ଜଣଙ୍କୁ ଶନିବାର ପୋଲିସ ଉଠାଇ ନେଇଥିଲା। ପୋଲିସ କହିବା ଅନୁଯାୟୀ ତାମିଲନାଡୁର ଜଣେ ଅଭିଯୁକ୍ତ ଛାତ୍ର ଘର ଭିତରେ ସ୍ବତନ୍ତ୍ର ବଲ୍‌ବ ସହାୟତାରେ କୃତ୍ରିମ ସୂର୍ଯ୍ୟାଲୋକ ସୃଷ୍ଟି କରି ଗଞ୍ଜେଇ ଚାଷ କରୁଥିଲେ। ସେ ଇଣ୍ଟରନେଟରୁ ଗଞ୍ଜେଇ ଚାଷ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହ ଅନ୍‌ଲାଇନରେ ମଞ୍ଜି କିଣିଥିଲେ। ତାଙ୍କଠାରୁ ୨୨୭ ଗ୍ରାମ ଶୁଖିଲା ଗଞ୍ଜା, ୧.୫୩ କିଲୋଗ୍ରାମ ଅମଳ ହୋଇଥିବା ଗଞ୍ଜା, ୧୦ ଗ୍ରାମ୍‌ ଚରସ, ଗଞ୍ଜେଇ ମଞ୍ଜି, ଗଞ୍ଜେଇ ତେଲ ଓ ପାଉଡର, ବିଦ୍ୟୁତ୍‌ଚାଳିତ ଓଜନ ମେଶିନ, ହୁକା ପାଇପ୍‌ ଏବଂ ନଗଦ ୧୯,୦୦୦ ଟଙ୍କା ଜବତ ହୋଇଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Share