ଭୁବନେଶ୍ୱର, ୨୪।୭(ବ୍ୟୁରୋ): ଓଡ଼ିଶା ବିଧାନସଭାର ୫ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିବା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶୁକ୍ରବାର ସୂଚନା ଦେଇଛନ୍ତି। ସମ୍ପୃକ୍ତ କର୍ମଚାରୀଙ୍କୁ ହୋମ୍ ଆଇସୋଲେଶନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
କିଛିଦିନ ତଳେ ବିଧାନସଭାରେ ଏକ କମିଟି ମିଟିଂ ହୋଇଥିଲା। ମିଟିଂରେ ଯୋଗ ଦେଇଥିବା ଜଣେ ବିଧାୟକଙ୍କର ସ୍ବାବ୍ ପଜିଟିଭ ଆସିଥିଲା। ବିଧାୟକ କରୋନାରେ ଆକ୍ରାନ୍ତ ହେବା ପରେ ସବୁ କର୍ମଚାରୀଙ୍କୁ ଟେଷ୍ଟ ପାଇଁ କୁହାଯାଇଥିଲା। ୩ ଦିନ ତଳେ ସେମାନଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା। ଏବେ ରିପୋର୍ଟ ପଜିଟିଭ ଆସିଛି। ଏହି କାରଣରୁ ବିଧାନସଭାକୁ ଆସନ୍ତା ୩୧ ତାରିଖ ଯାଏ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିବା ବାଚସ୍ପତି ପାତ୍ର ସୂଚନା ଦେଇଛନ୍ତି।