ଆଜି ରାଜ୍ୟରୁ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୯ା୧୨: ବେଶ୍‌ କିଛିଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ଏବେ ପୁଣି ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ରାଜ୍ୟରୁ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି।

ସମସ୍ତେ ହୋମ୍‌ ଆଇସୋଲେଶନରେ ଅଛନ୍ତି, ମେଡିକାଲରେ କେହି ନାହାନ୍ତି। ତେଣୁ ଆତଙ୍କିତ ହେବାର କିଛି ନାହିଁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। କରୋନା ପାଇଁ ମେଡିକାଲରେ ଆଡମିଟ୍‌ ହେବା ବହୁତ କମ୍‌। ତେବେ ସ୍ଥିତି ଉପରେ ନଜର ରଖାଯାଇଛି। କରୋନା ବଢ଼ିଲେ ମଧ୍ୟ ଏହାର ଭୟାବହତ କମ୍‌ ରହିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଡିସେମ୍ବର ୩ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ୍‌ କେସ୍‌ ଶୂନ ଥିବାବେଳେ ୨୩ରେ ରାଜ୍ୟରୁ ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିଲେ। ପରେ ଏହି ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଓଡ଼ିଶାରେ ମଧ୍ୟ ଲଗାତର ଭାବେ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି, ଯାହାକି ଚିନ୍ତାର କାରଣ ପାଲଟିଛି।

 

Share