ଆଉ ୫ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର

ବାଲେଶ୍ୱର ଅଫିସ/ ସୋର, ୨୨।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ପୌରାଞ୍ଚଳ ଅଧୀନ ଗାନ୍ଧୀ ସେବାସଂଘ ପୁରୁବାଈ କନ୍ୟାଶ୍ରମର ଆଉ ୫ ଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ୪ଜଣ ଛାତ୍ରୀ ଥିବା ବେଳେ ଜଣେ କର୍ମଚାରୀ ଅଛନ୍ତି। ଏମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସୋମବାର ବିଳମ୍ବିତ ରାତିରେ ସ୍ଥାନାନ୍ତର କରାଯାଇଛି।
ସ୍ଥିତି ଅନୁଧ୍ୟାନ ପାଇଁ ମଙ୍ଗଳବାର ପୂର୍ବାହ୍ନରେ ଏସ୍‌ଡିଏମ୍‌ଓ ଡା. ଶଶାଙ୍କ ଶେଖର ଚୌଧୁରୀ ଏକ ଟିମ୍‌ ସହ କନ୍ୟାଶ୍ରମରେ ପହଞ୍ଚତ୍ ଛାତ୍ରୀମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ଅନ୍ୟପକ୍ଷରେ ଆଶ୍ରମ ଚାରିପାଖରେ ଥିବା ପରିବେଶକୁ ଅନୁଧ୍ୟାନ କରିବା ସହ ନାଳରୁ ପାଣି ନିଷ୍କାସନ, ବ୍ଲିଚିଂ ସିଞ୍ଚନ, ସମୟାନୁସାରେ ମଶା ଧୂଅଁା ପ୍ରୟୋଗ କାର୍ଯ୍ୟକୁ ତଦାରଖ କରିଥିଲେ। ଆଖପାଖ ଅଞ୍ଚଳରେ କୌଣସି ଘୁଷୁରି ନ ଥିବା ଜଣାପଡ଼ିଛି। ତେଣୁ ଉକ୍ତ ରୋଗ ରୋକିବା ପାଇଁ ପରିବେଶ ସ୍ବଚ୍ଛତା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସେ ପ୍ରକାଶ କରିଛନ୍ତି। ଏହି କନ୍ୟାଶ୍ରମରେ ଅସୁସ୍ଥ ହୋଇଥିବା ୨୭ଜଣ ଅନ୍ତେବାସୀ ସୋର ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ଗତ ଶୁକ୍ରବାର ରୁବିନା ସିଂ ନାମକ ଦଶମ ଶ୍ରେଣୀର ଅନ୍ତେବାସୀଙ୍କର ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଥିଲା। ଦୁଇଜଣ ଜିଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ଆଉ ୫ଜଣ ଅନ୍ତେବାସୀ ଜାପାନିଜ ଏନସେଫାଲାଇଟିସ୍‌ରେ ଆକ୍ରାନ୍ତ ଥିବା ରିପୋର୍ଟ ଆସିବା ପରେ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅନ୍ୟପକ୍ଷରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୋର ଡାକ୍ତରଖାନାରେ ପ୍ରତିଦିନ ଅନ୍ତେବାସୀଙ୍କର ସ୍ବାସ୍ଥ୍ୟବସ୍ଥା ତଦାରଖ କରାଯାଉଛି। ସୋମବାର ବିଳମ୍ବିତ ରାତିରେ ସୋର ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ୧୯ ଜଣ ଅନ୍ତେବାସୀଙ୍କ ମଧ୍ୟରୁ ଗୁରୁତର ଥିବା ରାଖି ସାନ୍ତରା (୭), ନନ୍ଦିନୀ ସିଂ (୧୫), ପୂର୍ଣ୍ଣିମା ଦା (୧୫), ରାଖି ସିଂ (୬) ଓ ଜଣେ କର୍ମଚାରୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।