ଗଞ୍ଜାମ ଯିବେ ୫ ଓଏଏସ୍‌, ୪୭ ଓଆର୍‌ଏସ୍‌ ଅଫିସର

ଭୁବନେଶ୍ୱର, ୧୫।୭(ବ୍ୟୁରୋ): ଗଞ୍ଜାମ ଜିଲାର କରୋନା ସ୍ଥିତି ଦେଖି ରାଜ୍ୟ ସରକାର ସେଦିଗରେ ବିଶେଷ ଧ୍ୟାନ ଦେଉଛନ୍ତି। ଜିଲାରେ କରୋନା ସ୍ଥିତିକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେନେଇ ସରକାର ଅନ୍ୟ ଜିଲାର ଅଧିକାରୀମାନଙ୍କୁ ଗଞ୍ଜାମ ପଠାଇବା ଆରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ସେଥିରେ ୫ଜଣ ବାହାର ଜିଲାର ଓଏଏସ୍‌ ଅଫିସରଙ୍କୁ ଗଞ୍ଜାମ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଉଲ୍ଲେଖ କରାଯାଇଛି। ବଲାଙ୍ଗୀର ଉପ ଜିଲାପାଳ ସରୋଜ କୁମାର ରାଉତ, ବୌଦ୍ଧ ଉପଜିଲାପାଳ ଅବନୀକାନ୍ତ ସାହୁ, ଝାରସୁଗୁଡା ଉପଜିଲାପାଳ ଯୋଗେନ୍ଦ୍ର ମାଝୀ ଏବଂ କନ୍ଧମାଳ ଉପଜିଲାପାଳ ଜଗଦୀଶ ଷଡ଼ଙ୍ଗୀଙ୍କୁ ଗଞ୍ଜାମ ପଠାଯାଇଛି। ସେହିପରି ଲହୁଣିପଡା ତହସିଲଦାର ଆଲୋକ କୁମାର ଦେହୁରୀଙ୍କୁ ମଧ୍ୟ ଗଞ୍ଜାମ ଜିଲାକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ସେମାନେ ସେଠାରେ କାର୍ଯ୍ୟ କରିବେ ବୋଲି ଜଣାପଡିଛି। ସେହିପରି ରାଜସ୍ବ ଓ ପରିଚାଳନା ବିଭାଗ ପକ୍ଷରୁ ଜାରି କରାଯାଇଥିବା ଆଉ ଏକ ନିର୍ଦ୍ଦେଶନାମା ଅନୁଯାୟୀ ୪୭ ଓଆର୍‌ଏସ୍‌ ଅଫିସରଙ୍କୁ ମଧ୍ୟ ଗଞ୍ଜାମ ଜିଲା ଦାୟିତ୍ୱରେ ପଠାଯାଇଛି।

 

୧୩୦ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦାୟିତ୍ୱ
ଭୁବନେଶ୍ୱର,(ବ୍ୟୁରୋ): ଗଞ୍ଜାମ ଜିଲାରେ କରୋନା ମୁକାବିଲା ଓ ପରିଚାଳନା ପାଇଁ ରାଜ୍ୟ ସରକାର ଆଉ ୧୩୦ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି। ୨୨ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଗଞ୍ଜାମର ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ବା ଡାଇରେକ୍ଟୋରେଟ୍‌ ଅଫ୍‌ ହେଲ୍‌ଥ ସର୍ଭିସ(ଡିଏଚ୍‌ଏସ୍‌)ରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେହିପରି ନିକଟରେ ବିଭିନ୍ନ ମେଡିକାଲ କଲେଜରୁ ପିଜି ପାସ୍‌ କରି ନୂତନ ଭାବେ ଯୋଗଦେଇଥିବା ଆଉ ୮ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସରକାର ଉକ୍ତ ବିଭାଗର ପଦବୀରୁ ଅବ୍ୟାହତି ଦେଇ ଗଞ୍ଜାମ ଡିଏଚ୍‌ଏଚ୍‌ରେ ନୂତନ ଦାୟିତ୍ୱ ଦେଇଛନ୍ତି। ସେହିପରି ବିଭନ୍ନ ଜିଲାର ୧୦୦ଜଣ ଆୟୁର୍ବେଦିକ ମେଡିକାଲ ଅଫିସର(ଏଏମ୍‌ଓ) ଓ ହୋମିଓପାଥିକ୍‌ ମେଡିକାଲ ଅଫିସର(ଡିଏମ୍‌ଓ)ଙ୍କୁ ମଧ୍ୟ ଗଞ୍ଜାମ ଜିଲାର କୋଭିଡ୍‌-୧୯ ପରିଚାଳନା ପାଇଁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେମାନେ ଆସନ୍ତା ୧୬ତାରିଖ ସୁଦ୍ଧା ସିଡିଏମ୍‌ଓ ଓ ପିଏଚ୍‌ଓଙ୍କୁ ରିପୋର୍ଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଙ୍ଗଳବାର ଏକ ନିର୍ଦ୍ଦେଶନାମା ଜାରି ହୋଇଛି।

Share