ଶ୍ରୀମହଦ୍ ଯୋଗୀ ଘୋଷଣା କରିଥିଲେ ଶ୍ରୀପୁରୁଷୋତ୍ତମ ହେଉଛନ୍ତି ପତିତପାବନଙ୍କର ପ୍ରଭୁ। ଶ୍ରୀମାନ୍ ପତିତପାବନ। ପତିତ ଅର୍ଥକୁ ସେଠି ‘ଜାତି’ ଅର୍ଥରେ ଗ୍ରହଣ ନ କରି ପତିତ ମାନସିକତା ଅର୍ଥରେ ଗ୍ରହଣ କରିଛନ୍ତି। ମଣିଷର ମାନସିକତା ପତିତ ବା ନିମ୍ନାଭିମୁଖୀ ହେଲେ, ତାହାକୁ ଉପରକୁ ଉଠାଇବାକୁ ଏକମାତ୍ର ଉପାୟ ହେଉଛି ପତିତପାବନ ଶ୍ରୀଜଗନ୍ନାଥଙ୍କ ଉପାସନା। ଏହି ସମୀକରଣର ସିଦ୍ଧାନ୍ତ ଘୋଷଣା କଲାବେଳକୁ ବର୍ତ୍ତମାନ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ ଉପାସିତ ଶ୍ରୀପତିତପାବନ ନ ଥିଲେ। କାରଣ ସିଂହଦ୍ୱାର ଗୁମୁଟ ସେହି ସମୟର ହାରାହାରି ଏକହଜାର ବର୍ଷ ପରେ ନିର୍ମିତ ହୋଇଅଛି। ବାସ୍ତବରେ ଶ୍ରୀମନ୍ଦିର ଭିତରେ ବର୍ତ୍ତମାନ ଚାରୋଟି ସ୍ଥାନରେ ଶ୍ରୀପତିତପାବନ ପୂଜା ପାଉଛନ୍ତି। ଗୁମୁଟ ପତିତପାବନଙ୍କୁ ମିଶାଇଲେ ପାଞ୍ଚ। ଶ୍ରୀମନ୍ଦିର ବେଢ଼ାରେ ବଟଗଣେଶଙ୍କ ସମ୍ମୁଖ କଳ୍ପବଟ ମୂଳରେ ‘ବଟପତିତପାବନ’ ପୂଜିତ ହେଉଛନ୍ତି। ପୁରୁଣା ସେବକଙ୍କ ମତ ଅନୁଯାୟୀ ପୂର୍ବେ ଏହି ବିଗ୍ରହ ବର୍ତ୍ତମାନର ବିଗ୍ର୍ରହ ଭଳି ବଡ଼ ନ ଥିଲେ। ଶ୍ରୀମନ୍ଦିର ଆକ୍ରମଣ କାଳରେ ଏହି ବିଗ୍ରହ ହିଁ ସ୍ବୟଂ ଜଗନ୍ନାଥ ବୋଲି ଆକ୍ରମଣକାରୀଙ୍କୁ ଭଣ୍ଡେଇ ଦିଆଯାଇଥିବା କଥା ଇତିହାସରୁ ମିଳେ। ବିଶ୍ୱାସ ଅଛି ବଟପତିତପାବନ କଳ୍ପବଟ ପରିଧିରେ ରହି ଭକ୍ତଙ୍କ ମାନସିକତାର ସାକ୍ଷୀଦାତା ହୁଅନ୍ତି। ନାଟ ମଣ୍ଡପକୁ ଲାଗି ରହିଥିବା ପୁରାଣପଣ୍ଡାଙ୍କ ଆସ୍ଥାନ ନିକଟରେ ଥିବା ପତିତପାବନଙ୍କୁ ପୁରାଣ ପୁରୁଷୋତ୍ତମ ଶ୍ରୀପତିତପାବନ ବୋଲି କୁହାଯାଏ। ତୃତୀୟରେ ପତିତପାବନ ବିଜେ ହୋଇଛନ୍ତି ଶ୍ରୀନୀଳମାଧବଙ୍କ ମନ୍ଦିରରେ। ଶ୍ରୀମାଧବ ଆନନ୍ଦଦାତା ହୋଇଥିବାବେଳେ ମୂଳମାଧବଙ୍କ ସହିତ ବସିଥିବାରୁ ତାଙ୍କୁ ‘ଆନନ୍ଦଦାତା ଶ୍ରୀପତିତପାବନ’ କୁହାଯାଏ। ଚତୁର୍ଥରେ ଶ୍ରୀମନ୍ଦିର ବେଢ଼ା ଚାରିଧାମ ମନ୍ଦିରରେ ଶ୍ରୀପତିତପାବନ ବିଜେ କରିଥିବାରୁ ତାଙ୍କୁ ‘ମୋକ୍ଷଦାତା ପତିତପାବନ’ କୁହାଯାଏ।