ହତ୍ୟା ମାମଲାରେ ୫ ଜଣଙ୍କୁ ଫାଶୀ

କେନ୍ଦୁଝର,୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ ବୁଧବାର ବହୁ ଚର୍ଚ୍ଚିତ ଘଷିପୁରା ନିର୍ବାଚନ ମଣ୍ଡଳୀ ଧକୋଠା ଗାଁର ରାମଚନ୍ଦ୍ର ବେହେରା ହତ୍ୟା ମାମଲାର ଶୁଣାଣି କରି ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ସମୁଦାୟ ୫୩ ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସ ତଦନ୍ତ ରିପୋର୍ଟକୁ ଆଧାର କରି ଏହି ଦଣ୍ଡାଦେଶ କରିଛନ୍ତି। ଦୋଷୀମାନେ ହେଲେ ସଞ୍ଜୟ ପୃଷ୍ଟି, ଅଜିତ ପୃଷ୍ଟି, ଅରୁଣ ପୃଷ୍ଟି, ଅଲେଖ ପୃଷ୍ଟି ଓ ଦୋଳ ବୋଇତେଇ। ଅନ୍ୟ ଜଣେ ନାବାଳକ ଜୁଭେନାଲ ହୋମ୍‌ରେ ଅଛନ୍ତି। ୨୦୧୯ ମାର୍ଚ୍ଚ ୨୫ ତାରିଖ ରାତି ୧୦ଟାରେ ଘରୁ ଡାକିଆଣି ସଂଘବଦ୍ଧ ଭାବେ ହାତଗୋଡ଼ ହାଣି ରାମଚନ୍ଦ୍ରଙ୍କୁ ନିର୍ମମ ହତ୍ୟା କରିଥିଲେ। ଏହାକୁ ନେଇ ପରିବାର ପକ୍ଷରୁ ମିନାରାଣୀ ବେହେରା ଘଷିପୁରା ଥାନାରେ ଅଭିଯୋଗ କରିଥିଲେ। ଘଷିପୁରା ପୋଲିସ ଏହାକୁ ନେଇ ୫୧/୨୦୧୯ରେ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।

Share