୫ ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ: ୧୩ ଗିରଫ

ମୋରଡ଼ା,୬ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଦୈନିକ ବହୁ ମାତ୍ରାରେ ଗୋରୁ ଚାଲାଣ ହେଉଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଶୁଳିଆପଦା ଥାନା ଅଧିକାରୀ ସୁମିତ ସୋରେନ ୫ଟି ଗୋରୁ ବୋଝେଇ ପିକ୍‌ଅପ୍‌କୁ ଜବତ କରିବା ସହିତ ୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ସୂଚନାନୁଯାୟୀ, ମଙ୍ଗଳବାର ଏହି ଥାନା ଦେଇ ପଡ଼ୋଶୀ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଶୁଳିଆପଦା ଥାନାଧିକାରୀ ନେକଡ଼ାଗୁଞ୍ଜାଠାରେ ୫ ଗୋରୁ ବୋଝେଇ ପିକ୍‌ଅପ୍‌(ଓଡି୧୧-ୟୁ-୪୨୨୭, ଓଡି-୧୧-ଜେଡ-୫୬୫୪, ଓଡି-୧୧-ୟୁ-୩୭୦୪,ଓଡି-୨୨-ଏ-୦୧୬୭, ଓଆର-୧୧-ଜି-୩୪୨୧) ଜବତ କରିବା ସହିତ ୫୬ଟି ଗୋରୁକୁ ମଧ୍ୟ ଜବତ କରିଛନ୍ତି l ଏତଦବ୍ୟତୀତ ଗୋଚାଲାଣ ସମୟରେ ସୁରକ୍ଷା ଦେଉଥିବା ଏକ ବାଇକ୍‌କୁ (ଓଡି-୧୧-ଏସ-୯୪୦୪ ) ମଧ୍ୟ ଜବତ କରାଯାଇଛି।

ଗିରଫମାନେ ହେଲେ ଦେବାଶିଷ ପାଣିଗ୍ରାହୀ, ରବି ମହାନ୍ତ, ଦୟାନିଧି ଦାସ, ଶିବା ବିନ୍ଧାଣୀ, ପୂର୍ଣ୍ଣଚନ୍ଦ୍ର ସିଂ, ପ୍ରଭାକର ସୋରେନ, ଡାକା ସିଂ, ସୁନ୍ଦର ମୋହନ ସୋରେନ, ଦୀନବନ୍ଧୁ ସିଂ, ପ୍ରଶାନ୍ତ ମହାନ୍ତ, ଆକାଶ କୁମାର ମହାନ୍ତ, ଅଜିତ ଧଳ, ସୁଜିତ ମହାପାତ୍ର। ଏନେଇ ଶୁଳିଆପଦା ଥାନାରେ ୧୪୭/୨୩ରେ ଏକ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି l