Categories: ଜାତୀୟ

ଏକାଠି ଦୃଶ୍ୟମାନ ୫ ଗ୍ରହ

ନୂଆଦିଲ୍ଲୀ,୨୫ା୬: ସୌରଜଗତର ୫ ଗ୍ରହ ଏକାଠି ଦୃଶ୍ୟମାନ ହୋଇଛନ୍ତି। କୋଟି କୋଟି କିଲୋମିଟର ଦୂରରେ ନିଜ କକ୍ଷ ପଥରେ ଘୂରୁଥିବା ଗ୍ରହମାନେ ଏବେ ଗୋଟିଏ ସରଳରେଖାରେ ଅବସ୍ଥାପିତ । ବୁଧ, ମଙ୍ଗଳ, ଶୁକ୍ର, ବୃହସ୍ପତି ଏବଂ ଶନି ଗ୍ରହ ଏକ ସରଳରେଖାରେ ରହିଛନ୍ତି। ଶେଷଥର ୨୦୦୪ରେ ଏହି ୫ ଗ୍ରହ ଏକାଠି ଦୃଶ୍ୟମାନ ହୋଇଥିବାବେଳେ ଆଗକୁ ୨୦୪୦ ମସିହାରେ ସମାନ ଭାବେ ୫ ଗ୍ରହ ପୁଣିଥରେ ଏକାଠି ଦୃଷ୍ଟିଗୋଚର ହେବା ନେଇ ବୈଜ୍ଞାନିକ କହିଛନ୍ତି। ଶୁକ୍ରବାରଠାରୁ ସୋମବାର ପର୍ଯ୍ୟନ୍ତ ଏହି ୫ ଗ୍ରହ ପାଖାପାଖି ଦଣ୍ଡାୟମାନ ହେବେ। ବ୍ରାହ୍ମ ମୁହୂର୍ତ୍ତ ଏବଂ ସୂର୍ଯ୍ୟ ଉଦୟ ପୂର୍ବରୁ ଆକାଶରେ ଏହି ୫ ଗ୍ରହଙ୍କ ଅବସ୍ଥିତି ସ୍ପଷ୍ଟ ଭାବେ ଦୃଷ୍ଟିଗୋଚର ହେବ। ଉତ୍ତର ଗୋଲାର୍ଦ୍ଧର ଅଧିବାସୀ ଅତି ନିକଟରୁ ଓ ଉଜ୍ଜ୍ୱଳଭାବେ ୫ ଗ୍ରହର ଅବସ୍ଥିତିକୁ ଦେଖିପାରିବେ। ସୂର୍ଯ୍ୟଉଦୟ ପୂର୍ବରୁ ଏହାକୁ ଖାଲି ଆଖିରେ ଦେଖାଯାଇ ପାରିବ। ମଙ୍ଗଳ ଗ୍ରହ ସୂର୍ଯ୍ୟର ଅତି ନିକଟରେ ଅବସ୍ଥାପିତ ହୋଇଥିବାବେଳେ ଶୁକ୍ରଗ୍ରହ ବୃହସ୍ପତିଠାରୁ ଅଧିକ ଉଜ୍ଜ୍ୱଳ ଦେଖାଯିବ। ସେହିପରି ମଙ୍ଗଳ ଗ୍ରହ ଲାଲ୍‌ ରଙ୍ଗ ଧାରଣ କରିବ ବୋଲି ବୈଜ୍ଞାନିକ କହିଛନ୍ତି। ତେବେ ଗ୍ରହମାନଙ୍କ ଚିହ୍ନଟ ପାଇଁ ଚନ୍ଦ୍ରକୁ ମାର୍ଗଦaର୍ଶକ ଭାବେ ନିଆଯାଇପାରିବ। ୧୮ରେ ଚନ୍ଦ୍ର ଶନି ଗ୍ରହକୁ ଅତିକ୍ରମ କରିବାକୁ ଥିବାବେଳେ ୨୧ରେ ବୃହସ୍ପତି, ୨୨ରେ ମଙ୍ଗଳ, ୨୬ରେ ଶୁକ୍ର ଏବଂ ୨୭ରେ ବୁଧ ଗ୍ରହକୁ ଅତିକ୍ରମ କରିବ।

Share