ବଡ଼ବିଲରେ ୫-ଟି ସଚିବ

ବଡ଼ବିଲ,୧୦ା୬(ସ୍ବ.ପ୍ର.): କେନ୍ଦୁଝର ଜିଲାକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ୫ଟି ସଚିବ ଭି.କେ ପାଣ୍ଡିଆନ ଚମ୍ପୁଆ କାର୍ଯ୍ୟକ୍ରମ ସାରି ହେଲିକପ୍ଟର ଯୋଗେ ନିର୍ଦ୍ଧାରିତ ସମୟ ପୂର୍ବରୁ ବଡ଼ବିଲସ୍ଥିତ ବିକାଶ ମହଲ ପଡ଼ିଆର ଅସ୍ଥାୟୀ ହେଲିପ୍ୟାଡ୍‌ରେ ଶନିବାର ଅବତରଣ କରିଥିଲେ। ହେଲିପ୍ୟାଡ୍‌ ନିକଟରେ ବଡ଼ବିଲ ପୋରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ବାଗତ କରିଥିଲେ। ସେଠାରୁ ୫-ଟି ସଚିବ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରକୁ ଯାଇ ସେଠାରେ ଥିବା ଏନ୍‌ଆରସି ଓ ଡାଏଲେସିସ୍‌ ସେଣ୍ଟର ପରିଦର୍ଶନ କରିବା ସହିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ନିର୍ମାଣାଧୀନ ନୂତନ ବିଲ୍ଡିଂ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହା ପରେ ସଚିବ ସଡ଼କ ପଥରେ ସେରେଣ୍ଡାସ୍ଥିତ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଆଦିବାସୀ ବିକାଶ ସମିତି ଆଶ୍ରମ ପରିଦର୍ଶନ କରିଥିଲେ। ଆଶ୍ରମରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଭେଟିବା ସହ ଆଶ୍ରମର କୁନିକୁନି ଅନ୍ତେବାସୀଙ୍କ ସହ କଥା ହେଇଥିଲେ। ଯେଉଁ ପିଲାମାନଙ୍କର ମା-ବାପା ନାହାନ୍ତି ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଛନ୍ତି ବୋଲି ସେ କହିଥିଲେ। ଏହାପରେ ସେ ସଡ଼କ ପଥରେ ଯୋଡ଼ାର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ନିମନ୍ତେ ଯାତ୍ରା କରିଥିଲେ।

Share