କୋରୁକୋଣ୍ଡା,୨୯ା୩(ଡି.ଏନ୍.ଏ.): ମାଲକାନଗିରି ଜିଲାକୁ ୫-ଟି ସଚିବ ଭି.କେ ପାଣ୍ଡିଆନ ୨ ଦିନିଆ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ସମାଜସେବୀ ସଂସ୍ଥାଗୁଡ଼ିକ ସହ ଆଲୋଚନା କରିଛନ୍ତି। ତେବେ ଏହି ଗସ୍ତରେ ବୁଧବାର ମାଲକାନଗିରି ସଦରସ୍ଥିତ ସଂସ୍କୃତି ଭବନଠାରେ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବାଲିମେଳା ବିକାଶ ପରିଷଦର ସମସ୍ତ ସଦସ୍ୟ ୫-ଟି ସଚିବଙ୍କ ସହ ଭେଟି ବାଲିମେଳା ସହରରେ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ବନ୍ଧରେ ଦାବିପତ୍ର ପ୍ରଦାନ କରିଛନ୍ତି। ବାଲିମେଳା ସହରରେ ଅଗ୍ନି ନିର୍ବାପକ ଷ୍ଟେଶନ, ସବ୍ଡିଭିଜନର ମାନ୍ୟତା, ସେକ୍ସନ କୋର୍ଟ ଏବଂ ମଲ୍ଟି ମାର୍କେଟ କମ୍ପ୍ଲେକ୍ସ ଆଦି ପ୍ରକଳ୍ପ ନିମନ୍ତେ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିଗୁଡ଼ିକ ଦେଖିବା ପରେ ୫-ଟି ସଚିବ ତୁରନ୍ତ ଏନେଇ ପଦକ୍ଷେପ ନେବେ ବୋଲି ସୂଚନା ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବାଲିମେଳା ଏନ୍ଏସି ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ଉପାଧ୍ୟକ୍ଷ ରଶ୍ମିତା ବାଙ୍କା, କାଉନସିଲର ଲକ୍ଷ୍ମୀ ପଟ୍ଟନାୟକ, ମନୋଜ ପାଙ୍ଗିଙ୍କ ସମେତ ଅନ୍ୟ କାଉନସିଲର ଏବଂ ବିଧାୟକ ପ୍ରତିନିଧି ଦେବାଶିଷ ପାତ୍ର, ସୁଧାଂଶୁ ଶେଖର ମହାନ୍ତି, ପୂର୍ବତନ ଉପ ନଗରପାଳ ଟୁକୁଲୁ ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।