ଧରାକୋଟ, ୧୦ା୨ (ଡି.ଏନ୍.ଏ): ଜାତୀୟ କୃମି ନାଶକ ଦିବସ ଅବସରରେ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ଶୁକ୍ରବାର ବ୍ଲକର ସମସ୍ତ ବିଦ୍ୟାଳୟରେ କୃମି ନାସକ ଔଷଧ ବିତରଣ କରାଯାଇଥିଲା। ଜଗମୋହନସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ମଧ୍ୟ ଦିଆଯାଇଥିଲା। ତେବେ ଏହି ଔଷଧ ଖାଇବା ପରେ ୫ଜଣ ଛାତ୍ରୀ ଅସୁସ୍ଥ ହୋଇଥିବା ବେଳେ ଅନ୍ୟ କିଛି ଛାତ୍ରୀଛାତ୍ରଙ୍କ ବାନ୍ତି ଓ ପେଟରେ ଯନ୍ତ୍ରଣା ହୋଇଥିଲା। ସାଇଶ୍ରୀ ଷଡ଼ଙ୍ଗୀ, ଗୁଡୁଲି ବାଡ଼ତ୍ୟା, ନନ୍ଦିନୀ ବାଡ଼ତ୍ୟା, ସାରଦା ସାହୁ, ଲକ୍ଷ୍ମୀ ସେଠୀଙ୍କୁ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଏମ୍ଭିକେ ଅଶୋକ କହିଛନ୍ତି, ଛାତ୍ରୀମାନେ ଆଗରୁ କୃମି ଔଷଧ ଖାଇ ନାହାନ୍ତି, ଏଣୁ ଖାଇବା ପରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଲା। ତେବେ କିଛି ଭୟ କରିବାର ନାହିଁ। ସମସ୍ତଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି।