ଭରତପୁର ଥାନା ଘଟଣା: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ ୫ ଅଧିକାରୀ

କଟକ,୧ା୧୦(କାର୍ତ୍ତିକ ସାହୁ): ଭୁବନେଶ୍ୱର ଭରତପୁର ଥାନାରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କ ସହ ଘଟିଥିବା ପୋଲିସ ନିର୍ଯାତନା ଘଟଣାରେ ନିଲମ୍ବିତ ୫ ପୋଲିସ ଅଧିକାରୀଙ୍କୁ ଗିରଫଦାରୀ ଭୟ ଘାରିଛି। ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଯେକୌଣସି ସମୟରେ ନିଲମ୍ବିତ ପୋଲିସ ଅଧିକାରୀମାନଙ୍କୁ ଗିରଫ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଯଦ୍ଦ୍ବାରା ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ ନିଲମ୍ବିତ ପୋଲିସ ଅଧିକାରୀ ସୋମବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମାନସ ଚାନ୍ଦ ମାମଲା ପରିଚାଳନା କରୁଛନ୍ତି।

ଭରତପୁର ଥାନାରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ସୋମବାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଏନେଇ କମିଶନ ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସର୍କିଟ୍‌ ହାଉସରେ ପ୍ରଥମ ବୈଠକ ବସିଛି। ବୈଠକରେ ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ, ଗୃହ ବିଭାଗ ସଚିବ ସତ୍ୟବ୍ରତ ସାହୁ, ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂ, ଏସ୍‌ସିଆର୍‌ବି ଓ ଏସ୍‌ଏଫ୍‌ଏସ୍‌ଏଲ୍‌ର ନିର୍ଦ୍ଦେଶକ ସନ୍ତୋଷ ବାଲା, କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର, କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ତେବେ କ୍ରାଇମବ୍ରାଞ୍ଚ ଏହି ଘଟଣାରେ ତଦନ୍ତ ଜାରି ରଖିଥିବା ବେଳେ ତଦନ୍ତର ଅଗ୍ରଗତି ନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। କ୍ରାଇମବ୍ରାଞ୍ଚ ପକ୍ଷରୁ କମିଶନ ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାସଙ୍କୁ ତଦନ୍ତର ବିଭିନ୍ନ ଦିଗ ସଂକ୍ରାନ୍ତରେ ଅବଗତ କରାଯାଇଥିଲା। ଏହି ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ କମିଶନଙ୍କ ସଚିବ ଭାବେ ଅବସରପ୍ରାପ୍ତ ଜିଲାଜଜ୍‌ ଶୁଭେନ୍ଦୁ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି। ବୈଠକରେ ଶୁଭେନ୍ଦୁ ମଧ୍ୟ ଉପସ୍ଥିତ ଥିଲେ। ଶୁଭେନ୍ଦୁ କହିଛନ୍ତି, ସତ୍ୟପାଠ ପାଇଁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇବ। ସତ୍ୟପାଠ ଦାଖଲ ପାଇଁ ୨୧ଦିନ ସମୟ ଦିଆଯିବ। ଏହି ମାମଲାରେ ଯେଉଁମାନେ ପୀଡ଼ିତ ଓ ଅଭିଯୁକ୍ତ ରହିଛନ୍ତି, ସେମାନେ ସତ୍ୟପାଠ ଦାଖଲ କରିବେ। ଆର୍ମି ଅଫିସର, ବାନ୍ଧବୀ ଓ ପୋଲିସ ଅଧିକାରୀମାନଙ୍କ ବ୍ୟତୀତ ଏହି ଘଟଣା ବିଷୟରେ ଜାଣିଥିବା ସର୍ବସାଧାରଣ ଲୋକ ମଧ୍ୟ ସତ୍ୟପାଠ ଦାଖଲ କରିପାରିବେ। ସ୍ପେଶାଲ ସର୍କିଟ୍‌ ହାଉସ୍‌ ଅଫିସ୍‌ରେ ସତ୍ୟପାଠ ଦାଖଲ କରାଯିବ। ପରେ ସତ୍ୟପାଠଗୁଡ଼ିକୁ ଯାଞ୍ଚ କରାଯାଇ ସେମାନଙ୍କ ସାକ୍ଷ୍ୟ ଗ୍ରହଣ ପାଇଁ କମିଶନ ଯେଉଁମାନଙ୍କୁ ଚାହିଁବେ ସେମାନଙ୍କୁ ସମନ୍‌ କରାଯାଇ ଡକାଯିବ ବୋଲି ଶୁଭେନ୍ଦୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେପ୍ଟେମ୍ବର ୨୧ ବିଳମ୍ବିତ ରାତିରେ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ୨୨ ତାରିଖରେ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ଜଷ୍ଟିସ୍‌ ଦାସଙ୍କ ଅଧ୍ୟକ୍ଷତାରେ ବିଚାର ବିଭାଗୀୟ ତଦନ୍ତ କରାଯିବ ବୋଲି କୁହାଯାଇଥିଲା। ମୁଖ୍ୟତଃ ୩ଟି ଦିଗ ଉପରେ ତଦନ୍ତ ଆଗେଇବା ନେଇ ବିଜ୍ଞପ୍ତିରେ ସୂଚନା ଦିଆଯାଇଥିଲା। କିଭଳି ଓ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା, ସମ୍ପୂର୍ଣ୍ଣ ଘଟଣାକ୍ରମ କ’ଣ ଥିଲା, କେଉଁ ପରିସ୍ଥିତିରେ ଭରତପୁର ଥାନାରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଏବଂ ମାଡ଼ମରା ଭଳି ଘଟଣା ଘଟିଲା, ଏହିସବୁ ଘଟଣାର ତଦନ୍ତ କରାଯିବ ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଥିଲା।

୫ ପୋଲିସ ଅଧିକାରୀଙ୍କ ମିଛଧରା ପରୀକ୍ଷା ଆରମ୍ଭ
ଭରତପୁର ଥାନାରେ ନିର୍ଯାତନା ଘଟଣାରେ ସୋମବାର ଗୁଜରାଟ ଗାନ୍ଧୀନଗରସ୍ଥିତ ଷ୍ଟେଟ୍‌ ଫୋରେନ୍‌ସିକ ସାଇନ୍ସ ଲାବରେଟୋରି (ଏସ୍‌ଏଫ୍‌ଏସ୍‌ଏଲ୍‌)ରେ ୫ ପୋଲିସ ଅଧିକାରୀଙ୍କ ମିଛଧରା ପରୀକ୍ଷା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ ଟେଷ୍ଟ, ନାର୍କୋ-ଆନାଲିସିସ୍‌ ଓ ବ୍ରେନ୍‌ ଫିଙ୍ଗର ପ୍ରିଣ୍ଟିଙ୍ଗ୍‌ ଟେଷ୍ଟ ହୋଇଥିବାବେଳେ ଅନ୍ୟ ୪ ପୋଲିସ ଅଧିକାରୀଙ୍କ କେବଳ ପଲିଗ୍ରାଫ୍‌ ଟେଷ୍ଟ ହେବ। ଜଣଙ୍କ ପରେ ଜଣଙ୍କୁ ଏସବୁ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି।

Share