୫-ଟି ସଚିବଙ୍କୁ ନେଇ ଥମୁନି ବିରୋଧୀଙ୍କ ଟାର୍ଗେଟ

ଭୁବନେଶ୍ବର,୨୯ା୬(ସୁନିତ୍‌ ମିଶ୍ର): ଓଡ଼ିଶା କ୍ୟାଡରର ଜଣେ ଆଇଏଏସ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଦେବା ପରେ ରାଜନୀତି ବୟାନବାଜି ଜୋର ଧରିଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି)ଭି.କେ.ପାଣ୍ଡିଆନଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ଶାସନ ସଚିବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏଭଳି ସ୍ଥଳେ ରାଜ୍ୟ ସରକାର ଆକ୍ସନ ନ ନେଲେ କେନ୍ଦ୍ର ସରକାର ନେବେ କି ବୋଲି କଂଗ୍ରେସ ପ୍ରଶ୍ନ କରିଛି।
ତେବେ ଏଭଳିସ୍ଥଳେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, ମୁଖ୍ୟ ଶାସନ ସଚିବ ଯେଉଁ ଫାଇଲ୍‌ ପଠାଇବେ ତାହା ତାଙ୍କ ବ୍ୟକ୍ତିଗତ ସଚିବଙ୍କ ମାଧ୍ୟମରେ ହିଁ ଯିବ। ତେଣୁ ସେ ଫାଇଲ ଫେରିବା ନେଇ ଆଶା କରାଯାଇପାରିବ ନାହିଁ। ଏହା ଉପରେ ରାଜ୍ୟ ସରକାର କିଛି କାର୍ଯ୍ୟାନୁଷ୍ଠାନ ନେବେ ନାହିଁ। କେନ୍ଦ୍ର ସରକାର ଯଦି ଚାହିଁବେ ତେବେ କାର୍ଯ୍ୟାନୁଷ୍ଠାନ ହେବ ଯଦି ନ ଚାହିଁବେ ତେବେ କିଛି ହେବ ନାହିଁ। କେନ୍ଦ୍ର ସରକାର ପ୍ରଥମେ ଡେପୁଟେଶନରେ ନିଅନ୍ତି ତା’ପରେ ସେମାନେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇପାରିବେ ବୋଲି ବିଜୟ କହିଛନ୍ତି। ସେହିପରି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଯଦି କେନ୍ଦ୍ର ସରକାର ଯିଏ ଅଛନ୍ତି ସେମାନେ ଚାହିଁଲେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ବାହାରିପଡ଼ିବା କଥା। ଯେହେତୁ ବିଜେଡି-ଭାଜପା ଏକାଠି ହୋଇ ଅଛନ୍ତି। କେତେଦୂର ସେମାନେ କାର୍ଯ୍ୟାନୁଷ୍ଠାନ ନେବାକୁ ବାହାରୁଛନ୍ତି ତାକୁ ଦେଖିବାର ବାକି ରହିଛି ବୋଲି ଶରତ କହିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଛନ୍ତି, ୫-ଟି ସଚିବଙ୍କୁ ତୁରନ୍ତ ବହିଷ୍କାର କରାଯିବା ଦରକାର। ସେ ଅଗଣତାନ୍ତ୍ରିକ ପଦ୍ଧତିରେ ସୁପର ଚିଫ୍‌ ମିନିଷ୍ଟର ଭଳି କାର୍ଯ୍ୟ କରୁଛନ୍ତି, କାର୍ଯ୍ୟାଦେଶ ବାଣ୍ଟୁଛନ୍ତି, ପ୍ରତିଶ୍ରୁତି ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ଯଦି ଏହା ଉପରେ କିଛି ପଦକ୍ଷେପ ନ ନେବେ ତେବେ ଭାଜପା କେନ୍ଦ୍ର ସରକାରଙ୍କୁ ଜଣାଇବ। କେନ୍ଦ୍ର ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଭାଜପାର ବିଶ୍ୱାସ ରହିଥିବା ମୋହନ କହିଛନ୍ତି। ତେବେ ବିରୋଧୀଙ୍କ ଏଭଳି ଅଭିଯୋଗକୁ ପାଲଟା ଟାର୍ଗେଟ କରି ବିଜେଡି ନେତା ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ଗ୍ରାଉଣ୍ଡକୁ କେବଳ ୫-ଟି ସଚିବ ନୁହନ୍ତି ଉନ୍ନୟନ କମିଶନର, ମୁଖ୍ୟଶାସନ ସଚିବ ମଧ୍ୟ ଯାଉଛନ୍ତି। ମନ୍ତ୍ରୀମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅଛି ଲୋକଙ୍କ ପାଖକୁ ଯିବା ଲାଗି। ଆମେ ଲୋକଙ୍କ ପାଖକୁ ଯାଉଛୁ ଆଉ କେତେଜଣ ଲୋକ ଭୁବନେଶ୍ୱରରେ ବସି ଦିଲ୍ଲୀ, ଦୌଲତାବାଦ୍‌ ଦୌଡୁଛନ୍ତି। ବିରୋଧୀ ଯେଉଁ କଥା କହୁଛନ୍ତି ଲୋକମାନେ ତାକୁ ଗ୍ରହଣ କରୁନାହାନ୍ତି ବୋଲି ଅତନୁ କହିଛନ୍ତି।

Share