Categories: ମେଟ୍ରୋ

୫-ଟିକୁ ଟୋନି ବ୍ଲେୟାରଙ୍କ ପ୍ରଶଂସା

ଭୁବନେଶ୍ୱର,୨୭।୭(ଅନିଲ ଦାସ)ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ବୁଧବାର ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ଓଡ଼ିଶାର ଆର୍ଥିକ ବିକାଶ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ୨୦୨୩ ଜୁଲାଇ ୨୧ରେ ଟୋନି ବ୍ଲେୟାର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ଲୋବାଲ ଚେଞ୍ଜ (ଟିବିଆଇ) ସହିତ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଛନ୍ତି। ଓଡ଼ିଶାରେ ଏକ ସମନ୍ବିତ ଆର୍ଥିକ ଯୋଜନା ପ୍ରସ୍ତୁତ କରିବା ନେଇ ଉକ୍ତ ଅନୁଷ୍ଠାନ ବିନା ମୂଲ୍ୟରେ ବିଭିନ୍ନ ନୀତି ପ୍ରସ୍ତୁତ କରିବ। ମୁଖ୍ୟମନ୍ତ୍ରୀ ଟିବିଆଇର ପ୍ରାଥମିକ ପରାମର୍ଶକୁ ପ୍ରଶଂସା କରିବା ସହ ଏହା ରାଜ୍ୟରେ ଶିଳ୍ପର ବିକାଶ କ୍ଷେତ୍ରରେ ସହାୟକ ହେବ ବୋଲି କହିଛନ୍ତି। ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଟୋନି ବ୍ଲେୟାରଙ୍କୁ ଧନ୍ୟବାଦ ଦେଇଛନ୍ତି। ଟୋନି ବ୍ଲେୟାର ମଧ୍ୟ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ହେଉଥିବା ବିକାଶର
ଧାରାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। ରାଜ୍ୟରେ ରୂପାନ୍ତର ପାଇଁ କାର୍ଯ୍ୟକାରୀ ହେଉଥିବା ୫-ଟି ଅଭିନବ ପ୍ରୟାସକୁ ସେ ପ୍ରଶଂସା କରିଛନ୍ତି।
ଆସନ୍ତା ୨ ବର୍ଷ ପାଇଁ ଟିବିଆଇ ୪ ଜଣ ବିଶେଷଜ୍ଞ ଟିମ୍‌ଙ୍କୁ ବିନିଯୋଗ କରିବ। ଏହି ଟିମ୍‌ ଟିବିଆଇ ନେତୃତ୍ୱ ଅଧୀନରେ କାମ କରିବ। ଏହି ଟିମ୍‌ ଓଡ଼ିଶା ଟିମ୍‌ ସହ ମିଳିତ ଭାବେ କାର୍ଯ୍ୟ କରିବ। ଟୋନି ବ୍ଲେୟାର ୨୦୧୬ରେ ଲଣ୍ଡନଠାରେ ଟିବିଆଇ ପ୍ରତିଷ୍ଠା କରିଥିଲେ। ୪୪ଟି ଦେଶରେ ଏହା କାର୍ଯ୍ୟକ୍ଷମ ରହିଛି। ମାନବସମ୍ବଳର ବିନିଯୋଗ, ଶକ୍ତି, ବୈଦେଶିକ ନୀତି, ପୁଞ୍ଜିନିବେଶ, ଭିତ୍ତିଭୂମି, ଉତ୍ତମ ପ୍ରଶାସନ ଏବଂ ଜଳବାୟୁ ପରିବର୍ତ୍ତନ ଆଦି କ୍ଷେତ୍ରରେ ଏହା କାର୍ଯ୍ୟ କରୁଛି। ଓଡ଼ିଶାରେ ଏହି ଟିମ୍‌ ବିଭିନ୍ନ ଯୋଜନାର ରୋଡ୍‌ମ୍ୟାପ ପ୍ରସ୍ତୁତ କରିବା ସହ ଦକ୍ଷତା ବୃଦ୍ଧି, ଯୋଗାଯୋଗ କ୍ଷେତ୍ରରେ ସଂସ୍କାର, ଶିଳ୍ପକୁ ଗୁରୁତ୍ୱ, ବନ୍ଦରଭିତ୍ତିକ ଭିତ୍ତିଭୂମି ଆଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବ।

Share