ଲଘୁଚାପ: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୬।୯(ଅନିଲ ଦାସ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ଘନୀଭୂତ ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଦିଆଯାଇଛି। ସେହିପରି ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ସମ୍ବଲପୁର ଜିଲାରେ ପ୍ରବଳ ବର୍ଷା (୭ରୁ ୧୧ ସେଣ୍ଟିମିଟର) ହେବାର ସମ୍ଭାବନା ରହିଛି। ଏ ନେଇ ଏହି ଜିଲା ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୭ ତାରିଖରେ ଢେଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ବଲାଙ୍ଗୀର, ସୋନପୁର, କୋରାପୁଟ, ମାଲକାନଗିରି ଜିଲାରେ ପ୍ରବଳ ବର୍ଷା ହୋଇପାରେ। ଗତ ୨୪ ଘଣ୍ଟା ମଧ୍ୟରେ ଯାଜପୁର ୫୧ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୪୦.୫, ନୂଆପଡା ୩୪, ଢେଙ୍କାନାଳ ୨୬.୫, ଅନୁଗୋଳ ୩୦, ତାଳଚେର ୧୨, ହୀରାକୁଦ ୧୮, ଫୁଲବାଣୀ ୧୯.୪, ଟିଟିଲାଗଡ଼ ୨୬, ସୋନପୁର ୩୧.୮, ଦାରିଙ୍ଗବାଡ଼ି ୩୯, ନୟାଗଡ଼ ୨୫, ପାରଳାଖେମୁଣ୍ଡି ୩୩, ଢେଙ୍କାନାଳ ୨୬, ବରଗଡ଼ରେ ୨୪.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Share