ନୂଆଦିଲ୍ଲୀ,୧୯ ।୨: କରୋନା ମହାମାରୀ ଯୋଗୁ ହେଉଥିବା ମୃତ୍ୟୁ ସଂଖ୍ୟା ଏବେ ଏକ ଖେଳ ବୋଲି ମନେ ହେଉଛି । ଇତି ମଧ୍ୟରେ ଫେବୃୟାରୀରେ ୧୫ ହଜାରରୁ ଉର୍ଦ୍ଧ୍ୱ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ସଂଖ୍ୟା ଗତ ବର୍ଷ ଜୁଲାଇରେ ହୋଇଥିବା ମୃତ୍ୟୁ ସଂଖ୍ୟା ପରେ ସବୁଠାରୁ ଅଧିକ ବୋଲି କୁହାଯାଉଛି । ଗତ ବର୍ଷ ଜୁଲାଇରେ ୨୪ ହଜାର କରୋନା ମୃତ୍ୟୁ ହୋଇଥିଲା । ହେଲେ ହଠାତ୍ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟଣା ନୂଆ କଥାକୁ ସାମ୍ନାକୁ ଆଣିଛି ।
କୁହାଯାଉଛି କି ଫେବୃୟାରୀରେ କରୋନାରେ ୮,୬୭୩ ଜଣଙ୍କ ମୃତ୍ୟୁ ହୋଇଥିଲା । ହେଲେ ଏହି ସଂଖ୍ୟାରେ ୬,୩୨୯(୪୨%) ପୁରୁଣା ମୃତ୍ୟୁକୁ ଯୋଡି ଦିଆଯାଇଛି, ଯେଉଁଥିପାଇଁ ଏହି ସଂଖ୍ୟା ୧୫ ହଜାର ଅତିକ୍ରମ କରିଯାଇଛି । ଏମିତି ଗଣିତ ଜାନୁୟାରୀରେ ବି ହୋଇଥିଲା । ଜାନୁୟାରୀରେ ୧୪,୭୫୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ୫୪୮୩ ମୃତ୍ୟୁ ସଂଖ୍ୟାକୁ ଯୋଡି ଦିଆଯାଇଥିଲା । ସବୁଠାରୁ ଅଧିକ ମୃତ୍ୟୁ କେରଳରେ ହୋଇଥିବା ଦର୍ଶାଯାଇଛି ।