Categories: ଫୁରସତ

୫ ହଜାର କି.ମି. ଦୂରରେ ରହି ଡାକ୍ତରଙ୍କ ଅସ୍ତ୍ରୋପଚାର

ସାଂଘାଇ: ଆଧୁନିକ ଟେକ୍ନୋଲୋଜି ବ୍ୟବହାର କରି ସମ୍ପ୍ରତି ଜଣେ ଡାକ୍ତର ବହୁ ଦୂରରେ ଥାଇ ମଧ୍ୟ ରୋଗୀଙ୍କ ଅସ୍ତ୍ରୋପଚାର କରିପାରୁଥିବାର ଏକ ଭିଡିଓ ସାମ୍‌ନାକୁ ଆସିଛି। ଚାଇନାର ଲୁଓ କ୍ୱିଙ୍ଗ୍‌କ୍ୱାନ ନାମକ ଜଣେ ସର୍ଜନଙ୍କ ନେତୃତ୍ୱରେ ଏହି ବିରଳ ଅସ୍ତ୍ରୋପଚାରକୁ ସଫଳତାର ସହ କରାଯାଇଛି। ସେ ୫ ହଜାର କିଲୋମିଟର ଦୂରରେ ରହି ରୋଗୀଙ୍କ ଫୁସ୍‌ଫୁସ୍‌ରେ ଥିବା ଟ୍ୟୁମରକୁ ବାହାର କରିପାରିଛନ୍ତି।
ମ୍ୟୁନିସିପାଲିଟି ସୂଚନା କାର୍ଯ୍ୟାଳୟର ଏକ ବିବୃତି ଅନୁଯାୟୀ, ବ୍ୟାପକ କ୍ଲିନିକାଲ୍‌ ଅନୁସନ୍ଧାନ ଏବଂ ଘରୋଇ ନିର୍ମିତ ୫ଜି ସର୍ଜିକାଲ୍‌ ରୋବୋକୁ ବ୍ୟବହାର କରି ସାଂଘାଇ ଚେଷ୍ଟ ହସ୍ପିଟାଲର ଡାକ୍ତରମାନେ ଏହି ସଫଳତା ହାସଲ କରିଛନ୍ତି। ନିଜର କେତେଜଣ ସହକର୍ମୀଙ୍କ ସାହାଯ୍ୟରେ ବିଶିଷ୍ଟ ସର୍ଜନ ଡାକ୍ତର ଲୁଓ କ୍ୱିଙ୍ଗ୍‌କ୍ୱାନ୍‌ ଏହି ଅସ୍ତ୍ରୋପଚାରର ନେତୃତ୍ୱ ନେଇଥିଲେ। ସ୍ବଦେଶୀ ନିର୍ମିତ ସର୍ଜିକାଲ ରୋବୋଗୁଡିକର ସାମର୍ଥ୍ୟକୁ ପ୍ରଦର୍ଶିତ କରିବା ପାଇଁ ଏହି ଅସ୍ତ୍ରୋପଚାରର ସଫଳତା ଏକ ମାଇଲ୍‌ଖୁଣ୍ଟ ସଦୃଶ ହୋଇଥିବା ଡାକ୍ତର ଲୁଓ କହିଛନ୍ତି। ସେ ସାଂଘାଇସ୍ଥିତ ନିଜ କାର୍ଯ୍ୟାଳୟରୁ ନିଜ ସହକର୍ମୀଙ୍କ ସହ ଏକ ରୋବୋ ସହଯୋଗରେ ଅସ୍ତ୍ରୋପଚାର କରୁଥିବାବେଳେ ରୋଗୀଜଣକ ୫ ହଜାର କି.ମି. ଦୂରରେ ପଶ୍ଚିମ ଚାଇନା ଜିନ୍‌ଜିଆନ୍‌ ପ୍ରଦେଶର କାଶ୍‌ଗର୍‌ସ୍ଥିତ ଏକ ଚିକିତ୍ସାଳୟରେ ଥିଲେ। ଏକ ଘଣ୍ଟା ମଧ୍ୟରେ ପୂରା ଅପରେଶନ୍‌ ସମାପ୍ତ ହେବା ସହ ରୋଗୀଙ୍କ ଫୁସ୍‌ଫୁସ୍‌ ମଧ୍ୟରୁ ଟ୍ୟୁମରକୁ ବାହାର କରିଦିଆଯାଇଥିଲା। ଏହି ଅପ୍ରତ୍ୟାଶିତ ପ୍ରକ୍ରିୟାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Share