ଶିଶୁ ମୃତ୍ୟୁ: ନିଶା ସେବନକାରୀ ମହିଳାଙ୍କ କ୍ଷେତ୍ରରେ ୫ ଗୁଣା ଅଧିକ

ସମ୍ବଲପୁର,୨ା୬(ବ୍ୟୁରୋ): ମାତୃତ୍ୱ ଲାଭ କରିବା ପ୍ରତ୍ୟେକ ମହିଳାଙ୍କ ସ୍ବପ୍ନ ରହିଥାଏ। ହେଲେ ବିଭିନ୍ନ କାରଣରୁ କେତେକ ଶିଶୁ ଜନ୍ମ ପୂର୍ବରୁ କିମ୍ବା ଜନ୍ମହେବା ମାତ୍ରେ ମୃତ୍ୟୁବରଣ କରନ୍ତି। ଶିଶୁ ମୃତ୍ୟୁର ଅନେକ କାରଣ ରହିଛି। ଯେଉଁ ମହିଳାମାନେ ନିଶାଦ୍ରବ୍ୟ ସେବନ କରୁଛନ୍ତି ସେମାନଙ୍କ କ୍ଷେତ୍ରରେ ଏହା ଅଧିକ। ଅନ୍ୟ ମହିଳାଙ୍କ ତୁଳନାରେ ସେମାନଙ୍କ କ୍ଷେତ୍ରରେ ଏହା ୫ଗୁଣା ଅଧିକ ବୋଲି ସମ୍ବଲପୁର ବୁର୍ଲା ଭିମ୍‌ସାରର ୪ଜଣିଆ ଡାକ୍ତରୀ ଦଳ ଗବେଷଣା କରି ଏଭଳି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏହି ରିପୋର୍ଟ କ୍ୟୁରିଅସ ଜର୍ନାଲ ଅଫ ମେଡିକାଲ ସାଇନ୍ସରେ ମଧ୍ୟ ପ୍ରକାଶ ପାଇଛି। ଭିମ୍‌ସାରର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡା. ଓଜସ୍ପିନୀ ପଟେଲ, ଡା. ପ୍ରଣତି ପ୍ରଧାନ, ଡା. ପ୍ରେରଣା ଦାସଙ୍କ ସହିତ କମ୍ୟୁନିଟି ମେଡିସିନ ବିଭାଗ ଡା. ସଞ୍ଜୀବ କୁମାର ମିଶ୍ର ଏହି ଗବେଷଣା ଦଳରେ ଅଛନ୍ତି। ଡାକ୍ତର ମିଶ୍ରଙ୍କ କହିବା ଅନୁସାରେ, ପୃଥିବୀରେ ନବଜାତ ଶିଶୁ ମୃତ୍ୟୁହାର ଚିନ୍ତାଜନକ। ପ୍ରତିବର୍ଷ ପ୍ରାୟ ୨୬ଲକ୍ଷ ନବଜାତକଙ୍କ ମୃତ୍ୟୁ ହେଉଥିବା ରେକର୍ଡ ରହିଛି। ବିଶେଷ କରି ଶିକ୍ଷା, ସ୍ବାସ୍ଥ୍ୟ ଭଳି କ୍ଷେତ୍ରରେ ଅବିକଶିତ ଦେଶଗୁଡିକ ରହିଛି। ୨୦୧୯ରେ ସମୁଦାୟ ସଂଖ୍ୟାରୁ ଭାରତରେ ୧.୬ ପ୍ରତିଶତ ଏକ ରିପୋର୍ଟରେ ରହିଛି, ଯାହାକି ଉଦ୍‌ବେଗଜନକ। ଏହାର କାରଣ ନେଇ ଭିମ୍‌ସାର ଡାକ୍ତରମାନେ ଗବେଷଣା କରିଥିଲୁ। ଭିମ୍‌ସାର ପ୍ରସୂତି ବିଭାଗ ସହିତ ୨୮ ସପ୍ତାହରୁ ଅଧିକ ସମୟ ଧରି ଗର୍ଭବତୀ ଥିବା ମହିଳାମାନଙ୍କୁ ଗବେଷଣାରେ ନିଆଯାଇଥିଲା। ୧୫୮ଜଣ ଗର୍ଭବତୀଙ୍କୁ ନେଇ ଗବେଷଣା କରିବା ସହ ବିଭିନ୍ନ ପରୀକ୍ଷା କରାଯାଇଥିଲା। ପ୍ରାୟ ଏକବର୍ଷ ସମୟ ଭିତରେ ନବଜାତ ଶିଶୁ ମୃତ୍ୟୁର କାରଣ ଖୋଜାଯାଇଥିଲା। ବିଶେଷ କରି ତମାଖୁ, ଗୁଟ୍‌ଖା, ମଦ ଭଳି ନିଶା ସେବନ କରୁଥିବା ମହିଳାଙ୍କ କ୍ଷେତ୍ରରେ ଏହା ଅଧିକା ରହିଛି। ୩୦ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ କ୍ଷେତ୍ରରେ ୩ଗୁଣା ଅଧିକ ରହିଛି। ସେହିପରି ଉଚ୍ଚଶିକ୍ଷିତା ମହିଳାଙ୍କ କ୍ଷେତ୍ରରେ କମ ରହିଥିବା ବେଳେ କମ୍‌ ଶିକ୍ଷା ଲାଭ କରିଥିବା କ୍ଷେତ୍ରରେ ୬.୧ ଗୁଣ ଅଧିକ ରହିଛି। ନିଶାଦ୍ରବ ସେବନ କରିବା ଫଳରେ ମହିଳାମାନଙ୍କ ଗର୍ଭଧାରଣ ଓ ଠିକ୍‌ ଭାବେ ଶିଶୁ ଜନ୍ମ ଦେବାରେ ସମସ୍ୟା ହୋଇଥାଏ। ଶରୀରରେ ବିଭିନ୍ନ ଅଂଶ କାମ କରେ ନାହିଁ। ଫଳରେ ଗର୍ଭଧାରଣ କରିବା ପରେ ଶିଶୁଟି ମା’ ପେଟରେ ସମୟ ଅନୁସାରେ ବଢି ନ ଥାଏ ା ଜନ୍ମ ହେବା ପୂର୍ବରୁ ପେଟ ଭିତରେ ମୃତ୍ୟୁ ହୋଇଯାଇଥାଏ। ଏବେ ଶିଶୁ ଓ ପ୍ରସୂତି ମୃତ୍ୟୁ ରୋକିବାକୁ ସରକାର ଅନେକ ଯୋଜନା କରିଛନ୍ତି। ଏଥିରେ ସଫଳତା ମଧ୍ୟ ମିଳିଛି। ପୂର୍ବ ଅପେକ୍ଷା ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି। ମହିଳାମାନେ ନିଶା ସେବନ କରିବାକୁ ନେଇ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ଡା. ମିଶ୍ର କହିଛନ୍ତି।

Share