ଆଗକୁ ପରୀକ୍ଷା: ଦୈନିକ ୫ରୁ ୬ ଘଣ୍ଟା ହେଉଛି ବିଜୁଳି କାଟ୍‌, ଉପଭୋକ୍ତା ଅସନ୍ତୁଷ୍ଟ

କୋଦଳା,୨୫ା୨(ଡି.ଏନ୍‌.ଏ.): ଗଞ୍ଜାମ କୋଦଳା ଓ ବେଗୁନିଆପଡ଼ା ଅଞ୍ଚଳରେ ଦିନକୁ ଦିନ ଟାଟା ପାଓ୍ବାରର ଶୋଷଣ ନୀତି ବଢ଼ିବାରେ ଲାଗିଛି। ଯାହାକୁ ନେଇ ଗ୍ରାହକଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। କିଛି ଦିନ ଧରି ଗଞ୍ଜାମ ଜିଲା କୋଦଳା ଏନ୍‌ଏସିରେ ଅହେତୁକ ବିଦ୍ୟୁତ କାଟ୍‌, ବିପଦ ସଙ୍କୁଳ ତାର ଓ ଖୁଣ୍ଟ ଆଦି ମରାମତି ହେଉ ନ ଥିବାରୁ ଗ୍ରାହକ ଅସନ୍ତୋଷ ବଢୁଛି। ବକେୟା ଆଦାୟ ନା ରେ ଏବେ ଗ୍ରାହକ ମାନଙ୍କ ଠାରୁ ଟଙ୍କା ଆଦାୟ କରାଯାଉଛି ନଚେତ ବିଜୁଳି କାଟି ଦେଉଥିବା ମଧ୍ୟ ଅଭିଯୋଗ ହେଉଛି। ଉପଭୋକ୍ତାଙ୍କୁ ବିଲ୍‌ ଆଳରେ ମାତ୍ରାଧିକ ଶୋଷଣ ହେଉଥିବା କହୁଛନ୍ତି ଉପଭୋକ୍ତା।
ରାଜ୍ୟ ସରକାରଙ୍କ ବଦଳୁଥିବା ଆଭିମୁଖ୍ୟରେ ବିଜୁଳି ଆବଣ୍ଟନକୁ ବିଭିନ୍ନ କମ୍ପାନୀ ହାତରେ ଦିଆଯିବା ପରେ ଦିନକୁ ଦିନ ବିଜୁଳି ବଣ୍ଟନ ଦାୟିତ୍ୱରେ ରହୁଥିବା କମ୍ପାନୀର ମନମାନି ଓ ଶୋଷଣ ଏବେ ଉଗ୍ରରୂପ ନେବାରେ ଲାଗିଛି । ଟାଟା ପାଓ୍ବାର ନେବା ପରଠୁ କୋଦଳା ଓ ବେଗୁନିଆପଡ଼ା ଅଞ୍ଚଳରେ ବିଜୁଳିକୁ ନେଇ ଅକଥନୀୟ ଦୁର୍ଦ୍ଦଶା ଓ ଶୋଷଣରେ ଉପଭୋକ୍ତା ତ୍ରାହି ତ୍ରାହି ଡାକ ଛାଡ଼ିଲେଣି ।
ପୂର୍ବରୁ ଘୋଷଣା ନ କରି ପ୍ରତିଦିନ କୋଦଳା ଅଞ୍ଚଳରେ ୫ ରୁ ୬ ଘଣ୍ଟା ବିଜୁଳି କଟାଯାଉଛି। ଅଘୋଷିତ ବିଦ୍ୟୁତ କାଟ୍‌ ନେଇ ବିଭାଗୀୟ ଅଧିକାରୀଙ୍କୁ କଲ କଲେ ଖଲ୍ଲିକୋଟରୁ ଲାଇନ ନାହିଁ ଏବଂ ଖୁଣ୍ଟ ଓ ତାର ପରିବର୍ତ୍ତନ କିମ୍ବା ମରାମତି ହେଉଛି କହି ସଫେଇ ଦେଉଛନ୍ତି। ମରାମତି ନାଁରେ ପ୍ରାୟ ପ୍ରତିଦିନ ଘଣ୍ଟା ଘଣ୍ଟା ବିଜୁଳିକାଟ ହେବା ଫଳରେ ବିଜୁଳି ଅଭ୍ୟସ୍ତ ସମସ୍ତ ସେବା ମଧ୍ୟ ପ୍ରତିହତ ହେବାରେ ଲାଗିଛି। ଏଭଳି ଅବ୍ୟବସ୍ଥାକୁ ନେଇ କୋଦଳା ୟୁଥ୍‌ ଫୋରମ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ସମାଧାନ ପାଇଁ ନିବେଦନ କରାଯିବ ବୋଲି କୁହାଯାଇଛି। ଆଗକୁ ଦଣ୍ଡିଶ୍ୱର ମହାଦେବଙ୍କ ବିଶ୍ବ ଶାନ୍ତି ମହାଯଜ୍ଞ ହେବାକୁ ଯାଉଥିବା ବେଳେ କୋଦଳାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ। ତା’ ପୂର୍ବରୁ ବିଜୁଳି ସମସ୍ୟାର ସମାଧାନ କରିବାକୁ କୋଦଳା ୟୁଥ ଫୋରମ ନିବେଦନ କରିଛି। ଏବେ ଛାତ୍ରୀଛାତ୍ରଙ୍କ ପରୀକ୍ଷା ନିକଟତର ହେଉଥିବାରୁ
ବିଜୁଳି କାଟ୍‌କୁ ନେଇ ଜନସାଧାରଣଙ୍କ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ସ୍ଥାୟୀ ସମାଧାନ କରା ନ ଗଲେ ହଜାର ହଜାର ଉପଭୋକ୍ତା ମିଶି ଆଗାମୀ ଦିନରେ କୋଦଳା ଟାଟା ପାଓ୍ବାର କାର୍ଯ୍ୟାଳୟରେ ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି।