ଲିମ୍ୟାନ୍‌ରୁ ରୁଷୀୟ ସୈନ୍ୟଙ୍କ ପଳାୟନ: ରୁଷିଆ କବଳରୁ ମୁକୁଳିଲା ୫ ୟୁକ୍ରେନ୍‌ ଗାଁ

କିଭ୍‌/ମସ୍କୋ/ଓ୍ବାଶିଂଟନ୍‌, ୨ା୧୦: ବନ୍ଧୁକ ମୁନରେ ଭୋଟିଂ କରାଇ ରୁଷିଆ ବେଆଇନ ଭାବେ ପୂର୍ବ ୟୁକ୍ରେନ୍‌ର ଡୋନେସ୍କ, ଲୁହାନ୍‌ସ୍କ ସମେତ ଜାପୋରିଝିଆ ଏବଂ ଖେରସନ୍‌କୁ ନିଜର ବୋଲି ଘୋଷଣା କରିଛି। ହେଲେ ଏବେ ବି ୟୁକ୍ରେନ୍‌ ଉକ୍ତ ଅଞ୍ଚଳକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଚଳାଇଛି। ଡୋନେସ୍କର ପ୍ରମୁଖ ସହର ଲିମ୍ୟାନ୍‌ରେ ୟୁକ୍ରେନ୍‌ ସୈନ୍ୟ ପ୍ରାୟ ୫ ହଜାର ରୁଷୀୟ ସୈନ୍ୟଙ୍କୁ ଆତ୍ମସମର୍ପଣ ପାଇଁ ବାଧ୍ୟ କରିବା ପରେ ସେମାନେ ସେଠାରୁ ପଛଘୁଞ୍ଚା ଦେଇଛନ୍ତି। ଏ ନେଇ ଲୁହାନ୍‌ସ୍କ ଗଭର୍ନର ସେରେଗି ଗଇଦେ ଶନିବାର ସୂଚନା ଦେଇଛନ୍ତି। ମର ନଚେତ୍‌ ଆତ୍ମସମର୍ପଣ କର ନଚେତ୍‌ ଜାଗା ଛାଡ଼ି ପଳାଅ ବୋଲି ସେମାନଙ୍କ ଆଗରେ ସର୍ତ୍ତ ରଖାଯାଇଥିଲା। ରୁଷୀୟ ସୈନ୍ୟଙ୍କ ପଳାୟନ ପରେ ଡୋନେସ୍କରେ ଥିବା ୫ ଗାଁ ଏବେ ରୁଷିଆ କବଳରୁ ମୁକ୍ତ ହୋଇଛି ବୋଲି ସେ କହିଛନ୍ତି।

ଜାପୋରିଝିଆ ସ୍ଥିତ ଆଣିବକ ଶକ୍ତି କେନ୍ଦ୍ରର ମୁଖ୍ୟ ଇହୋର ମୁରାଶୋଭ୍‌ଙ୍କୁ ରୁଷିଆ ଅପରହଣ କରିନେଇଥିବା ୟୁକ୍ରେନ୍‌ ଅଭିଯୋଗ କରିଛି। ରୁଷୀୟ ସୈନ୍ୟ ମୁରାଶୋଭ୍‌ଙ୍କ କାର୍‌ ଅଟକାଇ ତାଙ୍କୁ ଅଜ୍ଞାତ ସ୍ଥାନକୁ ନେଇଯାଇଛନ୍ତି। ମସ୍କୋ ବେଆଇନ ଭାବେ ଦଖଲ କରିଥିବା ଅଞ୍ଚଳକୁ ଫେରାଇଅଣାଯିବ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି। ସେପଟେ ରୁଷିଆ ୟୁକ୍ରେନ୍‌ ସହ ଶାନ୍ତି ଆଲୋଚନା ପାଇଁ ରାଜି ଥିବା କହିବା ପରେ ବି ଉତ୍ତରପୂର୍ବ ସହର ଖର୍କିଭରେ ସେଲ୍‌, ବୋମା ମାଡ଼ ଜାରି ରଖିଛି। ଜନସାଧାରଣଙ୍କୁ ଟାର୍ଗେଟ କରି ଶୁକ୍ରବାର ସେଲିଂ ଯୋଗୁ ଅନୂ୍ୟନ ୨୦ ନାଗରିକଙ୍କ ମୃତ୍ୟୁ ଘଟିଛି।

ଲୋକେ ଭୟରେ ଉକ୍ତ ଅଞ୍ଚଳ ଛାଡ଼ି ପଳାଇଯିବାକୁ ଉଦ୍ୟମ କରୁଥିବାବେଳେ ରୁଷିଆ ସେମାନଙ୍କ ଉପରେ ବୋମାମାଡ଼ କରିଛି ବୋଲି ଖର୍କିଭ ଗଭର୍ନର ଓଲେହ ସିନିହୁବୋଭ୍‌ କହିଛନ୍ତି। ୟୁକ୍ରେନ୍‌ର ୪ ଅଞ୍ଚଳକୁ ରୁଷିଆ ନିଜ ଭୂଖଣ୍ଡରେ ବେଆଇନ ଭାବେ ସାମିଲ କରିବାକୁ ନେଇ ଆମେରିକା ମସ୍କୋ ଉପରେ ନୂଆ କଟକଣା ଲଗାଇଛି। ରୁଷିଆ ମିଲିଟାରି-ଇଣ୍ଡଷ୍ଟ୍ରିଆଲ କମ୍ପ୍ଲେକ୍ସର ୧୪ ଜଣ, ରୁଷିଆ ଆର୍ଥିକ କାରବାର ବୁଝୁଥିବା ୩ ପ୍ରମୁଖ ଲିଡର ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସମେତ ୨୭୮ ଆଇନ ପ୍ରଣେତାଙ୍କ ଉପରେ ଓ୍ବାଶିଂଟନ୍‌ କଟକଣା ଲାଗୁ କରିଛି।

Share