Categories: ଖେଳ

ଅଶ୍ୱିନଙ୍କୁ ୫ ଉଇକେଟ

ଡୋମିନିକା, ୧୩ା୭: ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଡୋମିନିକାରେ ଆରମ୍ଭ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ୍‌ ଖବର ପ୍ରସ୍ତୁତ ସୁଦ୍ଧା ୧୫୦ ରନ୍‌ରେ ସମସ୍ତ ଉଇକେଟ ହରାଇଛି। ସଫଳ ବୋଲର ଭାବରେ ରବିଚନ୍ଦ୍ରନ ଅଶ୍ୱିନ ୫ ଉଇକେଟ ଅକ୍ତିଆର କରିଛନ୍ତି। ଟେଷ୍ଟରେ ଏହା ତାଙ୍କର ୩୩ତମ ଓ କାରିବିୟାନ ମାଟିରେ ଚତୁର୍ଥ ୫ ଉଇକେଟ ସଫଳତା। ଭାରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ଓ ଇଶାନ୍‌ କିଶନ୍‌ ଏହି ମ୍ୟାଚ୍‌ରେ ଟେଷ୍ଟ ପଦାର୍ପଣ କରିଥିଲେ। ଓ୍ବେଷ୍ଟଇଣ୍ଡିଜ୍‌ ଅଧିନାୟକ କ୍ରେଗ୍‌ ବ୍ରାଥଓ୍ବେଟ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲେ। ୧୩ ତମ ଓଭରରେ ପ୍ରଥମ ସଫଳତା ପ୍ରଦାନ କରିଥିଲେ ଆର. ଅଶ୍ୱିନ୍‌। ଟାଗେନାରିନ୍‌ ଚନ୍ଦ୍ରପାଲ୍‌ (୧୨) ଓ କ୍ରେଗ୍‌ ବ୍ରାଥ୍‌ଓ୍ବେଟ୍‌(୨୦) ଓପନିଙ୍ଗ ଯୋଡିରେ ୩୧ ରନ୍‌ ଯୋଡିଥିଲେ। ଚନ୍ଦ୍ରପାଲଙ୍କୁ ଆଉଟ କରି ଅଶ୍ୱିନ ଏହି ଯୋଡି ଭାଙ୍ଗିଥିଲେ। ଏହା ସହିତ ଟେଷ୍ଟ କ୍ରିକେଟରେ ଉଭୟ ପିତା ଓ ପୁତ୍ରଙ୍କୁ ଆଉଟ କରିବାରେ ଅଶ୍ୱିନ ବିଶ୍ୱର ପଞ୍ଚମ ବୋଲର ପାଲଟି ଯାଇଥିଲେ। ଏହାର ୪ ଓଭର ପରେ ଅନ୍ୟତମ ଓପନର ବ୍ରାଥଓ୍ବେଟ ଅଶ୍ୱିନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ୪୬ ବଲ୍‌ ଖେଳି ୩ ଚୌକା ସହିତ ୨୦ ରନ୍‌ କରିଥିବା ବେଳେ ରୋହିତ ଶର୍ମାଙ୍କୁ କ୍ୟାଚ୍‌ ଦେଇଥିଲେ। ୭୬ ରନ୍‌ରେ ଦଳ ୫ ଉଇକେଟ ହରାଇଥିବା ବେଳେ ଜାସନ୍‌ ହୋଲ୍ଡରଙ୍କ ସହ ୪୧ ରନ୍‌ ଯୋଡିଥିଲେ ଆଲିକ୍‌ ଆଠନାଜେ। ଘରୋଇ ଦଳର ସମସ୍ତ ବ୍ୟାଟର ଧୈର୍ଯ୍ୟହୀନ ବ୍ୟାଟିଂ କରୁଥିବା ବେଳେ ଡେବ୍ୟୁଟାଣ୍ଟ ଆଲିକ୍‌ ଆଠନାଜେ ଚମତ୍କାର ବ୍ୟାଟିଂ କରିଥିଲେ। ୯୯ ବଲ୍‌ ଖେଳି ସେ ୬ ଚୌକା ଓ ୧ ଛକା ସହିତ ୪୭ ରନ୍‌ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜାସନ୍‌ ହୋଲ୍ଡର ୧୮ ଓ ରାହକିମ୍‌ କର୍ନଓ୍ବାଲ ଅପରାଜିତ ୧୯ ରନ୍‌ କରିଥିଲେ। ୧୨୯ ରନ୍‌ରେ ୮ ଉଇକେଟର ପତନ ପରେ ଅନ୍ତିମ ୨ ବ୍ୟାଟରଙ୍କ ସହିତ ୨୧ ରନ୍‌ ଯୋଡିଥିଲେ କର୍ନଓ୍ବାଲ। ଭାରତ ପକ୍ଷରୁ ଅଶ୍ୱିନ୍‌ ସର୍ବାଧିକ ୫ ଉଇକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ୩, ଶାର୍ଦ୍ଦୂଳ ଠାକୁର ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଇନିଂସ ୬୪.୩ ଓଭରରେ ୧୫୦/୧୦ (ଆଲିକ୍‌ ଆଠନାଜେ-୪୭, କ୍ରେଗ୍‌ ବ୍ରାଥଓ୍ବେଟ-୨୦, ରାହକିମ କର୍ନଓ୍ବାଲ-୧୯*, ଆର. ଅଶ୍ୱିନ-୫/୬୦, ରବୀନ୍ଦ୍ର ଜାଡେଜା-୩/୨୬, ଶାର୍ଦ୍ଦୂଳ ଠାକୁର-୧/୧୫)।

 

Share