Categories: ଖେଳ

ବୁମ୍‌ରାଙ୍କୁ ୫ ଉଇକେଟ୍‌ ସଫଳତା

ମୁମ୍ବାଇ, ୯।୫: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ପ୍ରଥମ ଥରପାଇଁ ୫ ଉଇକେଟ୍‌ ସଫଳତା ପାଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା। ତାଙ୍କ ଘାତକ ବୋଲିଂ ବଳରେ ମୁମ୍ବାଇ ଆଇପିଏଲ୍‌ର ସୋମବାର ଅନୁଷ୍ଠିତ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଇନିଂସକୁ ୨୦ ଓଭରରେ ୧୬୫/୯ରେ ସୀମିତ ରଖିଛି। ରିପୋର୍ଟ ଲେଖା ହେବା ବେଳକୁ ମୁମ୍ବାଇ ୯ ଓଭରରେ ୨ ଉଇକେଟ ହରାଇ ୫୮ ରନ ସଂଗ୍ରହ କରିଛି। ଅଧିନାୟକ ରୋହିତ ଶର୍ମା ୨ ଓ ତିଳକ ବର୍ମା ୬ ରନକରି ଆଉଟ ହୋଇଛନ୍ତି।
ଟସ୍‌ ଜିତି ମୁମ୍ବାଇ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା।
କୋଲକାତା କିନ୍ତୁ ଭେଙ୍କଟେଶ୍‌ ଆୟାର ଓ ଅଜିଙ୍କ୍ୟ ରାହାନେଙ୍କ ମାଧ୍ୟମରେ ଦୃଢ଼ ଓପନିଂ କରିଥିଲା। ବିଶେଷ କରି ଭେଙ୍କଟେଶ୍‌ଙ୍କ ଧୂଆଁଧାର ବ୍ୟାଟିଂ ଯୋଗୁ କୋଲକାତା ବଡ଼ ସ୍କୋରପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲା। ଭେଙ୍କଟେଶ୍‌ ୨୪ ବଲ୍‌ରୁ ୩ ଚୌକା ଓ ୪ ଛକା ସହାୟତାରେ ୪୩ ରନକରି ଆଉଟ ହୋଇଥିଲେ। ଅପେକ୍ଷାକୃତ ଧିମା ଖେଳିଥିବା ଅଜିଙ୍କ୍ୟ ରାହାନେ ୨୪ ବଲ୍‌ରୁ ୨୫ ରନକରିବାକୁ ସକ୍ଷମ ହୋଇଥିବାବେଳେ ନୀତୀଶ ରାଣା ଷ୍ଟ୍ରୋକପୂର୍ଣ୍ଣ ୪୩ (୨୬ ବଲ, ୩ ଚୌକା, ୪ ଛକା)ର ଇନିଂସ ଖେଳି ଦଳର ରନ୍‌ହାରକୁ ବଜାୟ ରଖିଥିଲେ। ତେବେ ଅଧିନାୟକ ଶ୍ରେୟସ ଆୟାର ୬ ଓ ଆନ୍ଦ୍ରେ ରସେଲ ୯ ରନରେ ଆଉଟ ହେବା କୋଲକାତା ଦଳକୁ ଶକ୍ତ ଧକ୍କା ପହଞ୍ଚାଇଥିଲା। ଫଳରେ ନୀତୀଶ ଆଉଟ ହେବାପରେ ମ୍ୟାଚର ମୋଡ଼ ବୁଲିଥିଲା। କୋଲକାତାର ମିଡିଲ ଅର୍ଡର ଓ ଲୋୟର ଅର୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ବୁମ୍‌ରା। ସେ ନୀତୀଶ, ରସେଲଙ୍କ ସମେତ ଶେଲଡନ ଜ୍ୟାକସନ, ପ୍ୟାଟ୍‌ କୁମିନ୍ସ ଓ ସୁନୀଲ ନାରିନଙ୍କ ଉଇକେଟ ନେଇ ୫ ଉଇକେଟ ପୂରଣ କରିଥିଲେ। କୁମିନ୍ସ ଓ ନାରିନଙ୍କୁ କ୍ରମାଗତ ବଲ୍‌ରେ ଆଉଟ କରି ସେ ହ୍ୟାଟ୍ରିକ ସୁଯୋଗ ସୃଷ୍ଟି କରିଥିଲେ। ୪ ଓଭରରେ ସେ ୧ ମେଡେନ ନେବା ସହ ମାତ୍ର ୧୦ ରନ ବ୍ୟୟ କରିଥିଲେ। ଫଳରେ ଏକଦା ୨୦୦ ରନ ଅତିକ୍ରମ ସମ୍ଭାବନା ସୃଷ୍ଟି କରିଥିବା କୋଲକାତା ୧୬୫ ରନରେ ସୀମିତ ରହି ଯାଇଥିଲା। ରିଙ୍କୁ ସିଂ ୧୯ ବଲ୍‌ରୁ ୨୩ (୨ ଚୌକା, ୧ ଛକା) ରନରେ ଅପରାଜିତ ରହିଥିଲେ। ମୁମ୍ବାଇ ପକ୍ଷରୁ ବୁମ୍‌ରାଙ୍କ ବ୍ୟତୀତ କୁମାର କାର୍ତ୍ତିକେୟ ୨ଟି ଏବଂ ଡାନିଏଲ୍‌ ସାମ୍ସ ଓ ମୁରୁଗାନ ଅଶ୍ୱିନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share