ନାବାଳିକା ବଳାତ୍କାରୀଙ୍କୁ ୫ବର୍ଷ ଜେଲ

ସୋନପୁର,୨୦।୭(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଅତିରିକ୍ତ ଜିଲାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ ପୂର୍ଣ୍ଣିମା ଜେନା ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ବଳାତ୍କାରୀଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ରାୟ ଶୁଣାଇଛନ୍ତି । ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି ।
୨୦୧୫ ନଭେମ୍ବର ୮ରେ ଜିଲାର ଡୁଙ୍ଗୁରିପାଲି ଥାନା ତଥା ବର୍ତ୍ତମାନ ଲଛିପୁର ଥାନା ଅନ୍ତର୍ଗତ ଅସୁରମୁଣ୍ଡା ଗ୍ରାମର ଗୋବିନ୍ଦ ସାହୁ(୩୫) ସମ୍ପୃକ୍ତ ନାବାଳିକାଙ୍କୁ ଡାକି ପ୍ରଲୋଭିତ କରିବା ସହ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ପୀଡିତା ଘରକୁ ଆସି ଘଟଣା ସମ୍ପର୍କରେ ତାଙ୍କ ମା’ଙ୍କୁ କହିଥିଲେ । ପର ଦିନ ପୀଡିତାଙ୍କ ବାପା ଲଛିପୁର ଫାଣ୍ଡିରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ଡୁଙ୍ଗୁରିପାଲି ପୋଲିସ ଏକ ମାମଲା ରୁଜୁ କରି ଗୋବିନ୍ଦଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲା। ଅଦାଲତ ଏହି ମାମଲାର ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ ମୋଟ ୧୨ ଜଣ ଓ ଅଭିଯୁକ୍ତଙ୍କ ପକ୍ଷରୁ ୩ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରିଥିଲେ। ପୋଲିସ ପକ୍ଷରୁ ଦାଖଲ କାଗଜପତ୍ରର ତଦାରଖ କରି ଅଭିଯୁକ୍ତ ଗୋବିନ୍ଦଙ୍କୁ ବିଚାରପତି ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ଦଶରଥ ମାହାଣା ମାମଲାର ପରିଚାଳନା କରିଥିଲେ।

 

Share