Categories: ଜାତୀୟ

କଶ୍ମୀରରେ କେନ୍ଦ୍ରୀୟ ଶାସନକୁ ୫ ବର୍ଷ

ଶ୍ରୀନଗର, ୨୦ା୬(ପି.ଟି.): ଜମ୍ମୁ-କଶ୍ମୀରରେ ବିନା ନିର୍ବାଚିତ ସରକାରରେ କେନ୍ଦ୍ରୀୟ ଶାସନକୁ ସୋମବାର ୫ ବର୍ଷ ପୂରିଛି। ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳରେ ଗଣତନ୍ତ୍ରର ପୁନଃସ୍ଥାପନା ବିଳମ୍ବ ହେଉଥିବାରୁ ମୁଖ୍ୟ ରାଜନୈତିକ ଦଳ ନ୍ୟାଶନାଲ କନ୍‌ଫରେନ୍ସ ଏବଂ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) କେନ୍ଦ୍ରକୁ ସମାଲୋଚନା କରିଛନ୍ତି। ଜମ୍ମୁ-କଶ୍ମୀରରେ ଶେଷଥର ପାଇଁ ୨୦୧୪ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଭାଜପା ସମର୍ଥନରେ ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍‌ତିଙ୍କ ନେତୃତ୍ୱରେ ସେଠାରେ ମେଣ୍ଟ ସରକାର ଗଠନ ହୋଇଥିଲା। ଭାଜପା ସମର୍ଥନ ପ୍ରତ୍ୟାହାର କରିନେବାରୁ ମେହବୁବା ୨୦୧୮ ଜୁନ୍‌ ୧୯ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ସହ ଉକ୍ତ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖରେ ବିଭକ୍ତ କରିଥିଲେ। ଜମ୍ମୁ-କଶ୍ମୀର ଆରମ୍ଭ ହେବା ସହ ଭାରତରେ ଗଣତନ୍ତ୍ରର ଶେଷ ହୋଇଛି ବୋଲି ନ୍ୟାଶନାଲ କନ୍‌ଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ସୋମବାର ଏକ ବ୍ୟଙ୍ଗାତ୍ମକ ଟୁଇଟ୍‌ରେ କହିଛନ୍ତି। ଗଣତନ୍ତ୍ର ଆମ ଶିରାପ୍ରଶିରାରେ ରହିଛି, ଏହା ଆମର ସଂସ୍କୃତି। ଭାରତ ଗଣତନ୍ତ୍ରର ଜନନୀ, ଏହା ଗଣତନ୍ତ୍ରର ମନ୍ଦିର। ଅନ୍ତର୍ଜାତୀୟ ସମୁଦାୟ ଏଭଳି ବଡ଼ ବଡ଼ ଶବ୍ଦକୁ ଖୁସିରେ ଗ୍ରହଣ କରିନେଇଛନ୍ତି। ହେଲେ ଜମ୍ମୁ-କଶ୍ମୀରରେ କେନ୍ଦ୍ରୀୟ ଶାସନକୁ ୫ ବର୍ଷ ପୂରିଛି। ଏଠାରେ ଗଣତନ୍ତ୍ରର ଶେଷ ହୋଇଛି ବୋଲି ଓମାର ଟୁଇଟ୍‌ କରିଛନ୍ତି। ଭାରତକୁ ଗଣତନ୍ତ୍ରର ଜନନୀ କହୁଥିବା ନେତୃତ୍ୱ ଓ ସାରା ଦେଶ ଲଜ୍ଜାରେ ମଥାନତ କରିବା ଆବଶ୍ୟକ ବୋଲି ପିଡିପି ମୁଖପାତ୍ର ମୋହିତ ଭାନ୍‌ କହିଛନ୍ତି। ଜମ୍ମୁ-କଶ୍ମୀରରେ ତୁରନ୍ତ ବିଧାନସଭା ନିର୍ବାଚନ କରାଇବା ପାଇଁ ସବୁ ରାଜନୈତିକ ଦଳ ସ୍ବର ଉଠାଇଛନ୍ତି। ଭାଜପା ମଧ୍ୟ ଏଥିରେ ସାମିଲ ହୋଇଛି। ନିର୍ବାଚନ ତାରିଖ ଘୋଷଣା କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ କମିଶନଙ୍କୁ ନିବେଦନ କରିଛନ୍ତି।

Share