ସୋମବାର ଚତୁର୍ଥ ଥର ଆସ୍ଥା ଲୋଡ଼ିବେ ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୧୮ା୫(ପି.ଟି.): ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’ ତାଙ୍କ ୧୮ ମାସର କାର୍ଯ୍ୟକାଳ ମଧ୍ୟରେ ସୋମବାର ଚତୁର୍ଥ ଥର ପାଇଁ ଆସ୍ଥାଭୋଟ ଲୋଡ଼ିବାକୁ ଯାଉଛନ୍ତି। ସହଯୋଗୀ ଜନତା ସମାଜବାଦୀ ପାର୍ଟି ନେପାଳ ଦଳରେ ବିଭାଜନ ପରେ ଗତ ୧୩ ତାରିଖରେ ଉପେନ୍ଦ୍ର ଯାଦବଙ୍କ ଦଳ ପ୍ରଚଣ୍ଡଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲା। ଯାଦବ ମଧ୍ୟ ଉପପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଫଳରେ ନେପାଳ ସମ୍ବିଧାନର ଅନୁଚ୍ଛେଦ ୧୦୦ର ଧାରା ୨ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କୁ ଆସ୍ଥାଭୋଟ ଲୋଡ଼ିବାକୁ ହେବ ବୋଲି ପ୍ରତିନିଧି ସଭାର ସହକାରୀ ବାଚସ୍ପତି ଦଶରଥ ଧମାଲ କହିଛନ୍ତି। ୨୭୫ ସଦସ୍ୟ ବିଶିଷ୍ଟ ଗୃହରେ ସରକାରଙ୍କୁ ଆସ୍ଥା ଭୋଟ ଜିତିବା ପାଇଁ ୧୩୮ ଭୋଟ ଆବଶ୍ୟକ। ଶାସକ ମେଣ୍ଟରେ ସିପିଏନ୍‌-ୟୁଏମ୍‌ଏଲ୍‌ର ୭୭ ସଦସ୍ୟ ରହିଥିବାବେଳେ ମାଓଇଷ୍ଟ ସେଣ୍ଟରର ୩୨, ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟିର ୨୧, ଜନତା ସମାଜାବାଦୀ ପାର୍ଟିର ୭, ସିପିଏନ୍‌-ୟୁନିଫାଏଡ୍‌ ସୋସିଆଲିଷ୍ଟ ପାର୍ଟିର ୧୦ ସଦସ୍ୟ ରହିଛନ୍ତି।

Share