ଭୁବନେଶ୍ୱର,୨୯ା୬(ବ୍ୟୁରୋ): ରାଜ୍ୟରେ ଅଧିକାଂଶ ଜେଲ୍ରେ ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ କରୋନା ସଂକ୍ରମଣ ଆଶଙ୍କା ରହିଛି। ଇତିମଧ୍ୟରେ ୩ ଜେଲ୍ରୁ ୧୦ କଏଦୀ ଆକ୍ରାନ୍ତ ହୋଇଛନ୍ତି। ବାସ୍ତବ ସ୍ଥିତିକୁ ନେଇ ଗତ ୨୫ ତାରିଖରେ ଧରିତ୍ରୀରେ ଏକ ଅନୁସନ୍ଧାନ ମୂଳକ ଖବର ‘ଜେଲରେ ବିସ୍ଫୋରକ ରୂପ ନେବ କରୋନା’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହି ଆଧାରରେ ୮୬ ଜେଲର ଅନ୍ତେବାସୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ପାଣ୍ଠିରୁ ଅର୍ଗାନାଇଜ୍ ବର୍ଜ୍ୟବସ୍ତୁ ରୂପାନ୍ତରକାରୀ ମେଶିନ, ଶୁଖିଲା ସଫେଇ ମେଶିନି, ଭାକ୍ୟୁମ୍ କ୍ଲିନର ଓ ଫ୍ଲୋର୍ ସ୍କ୍ରବର ଭଳି ଉପକରଣ କିଣିବାରେ ବିନିଯୋଗ ହେବ। ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ୫୦ କୋଟିର ପ୍ରଥମ ବିନିଯୋଗ ଭାବେ ୫ଟି ସର୍କଲ ଜେଲରେ ଅର୍ଗାନାଇଜ୍ ବର୍ଜ୍ୟବସ୍ତୁ ରୁପାନ୍ତରୀକାରୀ ମେଶିନ ଏବଂ ଶୁଖିଲା ସଫେଇ ଉପକରଣ ଯୋଗାଇ ଦିଆଯିବ। କର୍ମଚାରୀଙ୍କ କ୍ୱାର୍ଟର୍ସ ପାଇଁ ମଧ୍ୟ ପାଣ୍ଠି ଖର୍ଚ୍ଚ ହେବ।