ଆମେରିକାରେ ପ୍ରଳୟଙ୍କରୀ ବାତ୍ୟା

ଓ୍ବାଶିଂଟନ,୧୧।୧୨: ସାମୁଦ୍ରିକ ବାତ୍ୟା ପ୍ରଭାବରେ ଆମେରିକାର କେଣ୍ଟୁକି ସମେତ କେତେକ ରାଜ୍ୟ କ୍ଷତିିଗ୍ରସ୍ତ ହୋଇଛି। ବାତ୍ୟାରେ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିବା ଆଶଙ୍କା କରାଯାଉଛି। ଶୁକ୍ରବାର ରାତିଠାରୁ ଶନିବାର ସକାଳ ପର୍ଯ୍ୟନ୍ତ ବାତ୍ୟା ଲାଗି ରହିଥିଲା। ସମୁଦ୍ର କୂଳଠାରୁ ୨୦୦ ମାଇଲ ପର୍ଯ୍ୟନ୍ତ ଏହା ତାଣ୍ଡବ ରଚିଛି। ସବୁଠୁ ପ୍ରଭାବିତ କେଣ୍ଟୁକିରେ ଗଭର୍ନର ଆଣ୍ଡି ବେଶିଅର ଜରୁରୀ ପରିସ୍ଥିତି ଜାରି କରିଛନ୍ତି। କେଣ୍ଟୁକି ଇତିହାସରେ ଏହା ସବୁଠୁ ଖରାପ ପାଗ ବୋଲି ସେ କହିଛନ୍ତି। ଗ୍ରେଭ୍‌ସ କାଉଣ୍ଟି ଏବଂ ମେଫିଲ୍ଡ ସହର ସର୍ବାଧିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ମୃତ୍ୟୁସଂଖ୍ୟା ୧୦୦ରେ ପହଞ୍ଚତ୍ପାରେ ବୋଲି ଗଭର୍ନର ଆଶଙ୍କା ବ୍ୟକ୍ତ କରିଛନ୍ତି। ବାତ୍ୟାରେ ଏକ କ୍ୟାଣ୍ଡେଲ୍‌ ଫ୍ୟାକ୍ଟ୍ରି ଛାତ ଭୁଶୁଡ଼ି ପଡ଼ିବାରୁ ଅନେକ ଲୋକଙ୍କ ଜୀବନ ଯାଇଛି।
ପ୍ରଳୟଙ୍କରୀ ବାତ୍ୟା ପ୍ରଭାବରେ ଆମେରିକାର ୫ଟି ରାଜ୍ୟରେ ବ୍ୟାପକ କ୍ଷତି ହୋଇଛି। ଆର୍କାନସାସ୍‌, ମିସୌରି, ଟେନେସି, କେଣ୍ଟୁକି ଏବଂ ଇଲିନୋଇସ୍‌ରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ୫୫ ନିୟୁତରୁ ଊର୍ଦ୍ଧ୍ୱ ଲୋକ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ୧,୫୭,୦୦୦ ଗ୍ରାହକ ବିଦ୍ୟୁତ୍‌ ସେବାରୁ ବଞ୍ଚିତ ହୋଇଛନ୍ତି।

Share