Categories: ଖେଳ

୭୫ ବର୍ଷ ପୂର୍ତ୍ତିରେ ଭାଗନେବେ ୫୦ ଲକ୍ଷ

ଆଥ୍‌ଲେଟମାନଙ୍କ ମଧ୍ୟରେ କ୍ରୀଡା ଭାବନା ସୃଷ୍ଟି କରିବା ଦିଗରେ ଅଲିମ୍ପିକ୍ସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୯୪୮ରେ ପ୍ରଥମ ଥର ପାଇଁ ଏହି ଦିବସ ପାଳନ କରାଯାଇଥିବା ବେଳେ ଚଳିତ ବର୍ଷ ଏହାର ୭୫ ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ଏହି ଅବସରରେ ସମଗ୍ର ବିଶ୍ୱର ୫ଟି ମହାଦେଶର ୫୦ ଲକ୍ଷରୁ ଅଧିକ ଲୋକ ଏଥିରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଏହା ସହିତ ଚଳିତ ବର୍ଷର ଥିମ୍‌ ରହିଛି ‘ଲେଟ୍ସ ମୁଭ୍‌’। ଆଥ୍‌ଲେଟମାନଙ୍କ ମଧ୍ୟରେ ଉତ୍କର୍ଷ, ବନ୍ଧୁତା ଓ ସମ୍ମାନ ପାଇଁ ଏହି ଉତ୍ସବକୁ ପାଳନ କରାଯାଉଛି।
ଇତିହାସ: ପ୍ରଥମ ଥର ପାଇଁ ୧୮୯୪ରେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ଗଠନ ହୋଇଥିଲା । କ୍ରୀଡାର ମଜା ସାମଗ୍ରିକ ଭାବରେ ଉଠାଇବା ପାଇଁ ପିଅର୍‌ ଡେ କୋବେର୍ଟିନ୍‌ ଏହା ପ୍ରତିଷ୍ଠା କରିଥିଲେ। ୧୯୪୮, ଜୁନ୍‌ ୨୩ ତାରିଖରେ ପ୍ରଥମ ଥର ପାଇଁ ଏହି କମିଟି ପକ୍ଷରୁ ଅଲିମ୍ପିକ୍ସ ଦିବସ ପାଳନ କରାଯାଇଥିଲା। ସେ ସମୟରେ ମାତ୍ର ୯ଟି ଦେଶ ଅଲିମ୍ପିକ୍ସ କମିଟିର ସଦସ୍ୟ ରହିଥିଲେ। ଇତି ମଧ୍ୟରେ ୭୫ ବର୍ଷ ପୂରି ଯାଇଥିବା ବେଳେ ୫ଟି ମହାଦେଶର ୧୩୦ ରାଷ୍ଟ୍ର ଏହାର ସଦସ୍ୟତା ଗ୍ରହଣ କରି ସାରିଛନ୍ତି।
ଏସିଆରୁ ନେଇ ଆମେରିକା ପର୍ଯ୍ୟନ୍ତ ସର୍ବତ୍ର ଏହି ଦିବସକୁ ଅତ୍ୟନ୍ତ ଧୁମ୍‌ଧାମରେ ପାଳନ କରାଯାଇଥାଏ। ପାନାମା, ରୋମାନିଆ ଓ କାଜାକସ୍ତାନ ପରି ଦେଶରେ ମେ’ ମାସରୁ ଏହି ସେଲିବ୍ରେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି। ପ୍ୟାରିସ୍‌ ୨୦୨୪କୁ ଦୃଷ୍ଟିରେ ରଖି ୭୦ ଦେଶ କାର୍ଯ୍ୟକ୍ରମ ରଖିଛନ୍ତି। ଅନ୍ୟପକ୍ଷରେ ଡକାରରେ ହେବାକୁ ଥିବା ୨୦୨୬ ୟୁଥ୍‌ ଅଲିମ୍ପିକ୍ସକୁ ସେଲିବ୍ରେଟ୍‌ କରିବାକୁ ନିଷ୍ପତ୍ତି ନେଇଛି ସେନେଗାଲ। ୨୦୩୨ରେ ହେବାକୁ ଥିବା ବ୍ରିସବେନ୍‌ ଅଲିମ୍ପିକ୍ସ ପାଇଁ ପୂର୍ବତନ ଅଲିମ୍ପିଆନମାନଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜିତ ହେବ।
ଲେଟ୍ସ ମୁଭ୍‌: ଚଳିତ ବର୍ଷର ଥିମ୍‌ ରହିଛି ଲେଟ୍ସ ମୁଭ୍‌। ୮୦ ପ୍ରତିଶତ ଯୁବପିଢି ନିଜର ଦୈନନ୍ଦିନ ଶାରୀରିକ ପରିଶ୍ରମ କରନ୍ତି ନାହିଁ। ଏହାକୁ ଦୃଷ୍ଟିରେ ରଖି ଯୁବସମାଜକୁ ମାନସିକ ଓ ଶାରୀରିକ ସୁସ୍ଥତା ପ୍ରଦାନ କରିବାକୁ ଏହି ଥିମ୍‌ ଚୟନ କରାଯାଇଛି। କ୍ରୀଡା ଆମକୁ ଶାରୀରିକ ଓ ମାନସିକ ଭାବରେ ସୁସ୍ଥ ରଖିଥାଏ। ତେଣୁ ସମସ୍ତେ କ୍ରୀଡାକୁ ସାଦରେ ଗ୍ରହଣ କରିବା ଉଚିତ ବୋଲି କହିଛନ୍ତି ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିର ମୁଖ୍ୟ ଥୋମାସ୍‌ ବାକ୍‌।

Share