୫ ବର୍ଷରେ କୁଆଖାଇରେ ଗଲାଣି ୫୦ ଜୀବନ

ବାଳକାଟୀ,୨୫ା୯(ମନୋଜ ମଣ୍ଡଳ):ରାଜଧାନୀ ଉପକଣ୍ଠ କୁଆଖାଇ (ଟଙ୍କପାଣି ଠାରୁ ବାଲିଅନ୍ତା ପର୍ଯ୍ୟନ୍ତ) ନଦୀରେ ବୁଡ଼ି ଗତ ୫ବର୍ଷ ମଧ୍ୟରେ ୫୦ଜଣଙ୍କ ଜୀବନ ଯାଇଛି। ଫଳରେ ଏନେଇ ନଦୀପଠାର ଅଲାରପୁର, ଭଇଁଚୁଆ, କଣ୍ଟାଗୋଠ ଏବଂ ଧବଳାହାରଠାରେ ବାଲିଅନ୍ତା ଥାନା ପୋଲିସ ପକ୍ଷରୁ ସତର୍କ ସୂଚନା ଫଳକ ଲଗାଯାଇଛି। ଗତ ମେ’ ୨୮ରେ ଏହି ନଦୀରେ ବୁଡ଼ି ୩ଜଣ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି। ସେହିପରି ଗତ ଜୁଲାଇ ୧୧ରେ ନଦୀରେ ବୁଡ଼ି ୪ଜଣ ଏମ୍‌ବିଏ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଏହିପରି ଗତ ୫ବର୍ଷରେ ମୋଟ୍‌ ୫୦ଜଣଙ୍କ ଜୀବନ ଯାଇଛି। ଏହି ନଦୀର ଗଭୀର ଓ ଗଭୀରତା ମଧ୍ୟରେ ଅସମାନତା ଥିବାରୁ ଗାଧୋଇବାକୁ କିମ୍ବା ଶୌଚପାଇଁ ଯିବାକୁ ବାରଣ କରାଯାଇଛି। ଏପରିକି ନଦୀପଠାରେ ଥିବା ଜଙ୍ଗଲରେ ଭୋଜିଭାତ କରନ୍ତୁ ନାହିଁ। ନଦୀପଠାକୁ ଆସି କୌଣସି ନିଶା ସେବନ କରନ୍ତୁ ନାହିଁ। କୌଣସି ଅଘଟଣ ଦେଖିଲେ ତୁରନ୍ତ ସ୍ଥାନୀୟ ପୋଲିସଙ୍କୁ ଜଣାଇବାକୁ ସୂଚନାଫଳକରେ ଉଲ୍ଲେଖ ରହିଛି। ପୋଲିସର ଏହି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଛି।

Share