ନୂଆଦିଲ୍ଲୀ,୭ା୧୧: କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ଲାଗି ୟୁନିଭର୍ସିିଟି ଗ୍ରାଣ୍ଟ୍ସ କମିଶନ (ୟୁଜିସି) ଗାଇଡ୍ଲାଇନ୍ ଜାରି କରିଥିବାବେଳେ ଏକା ଥରକେ ୫୦% ଛାତ୍ରୀଛାତ୍ରଙ୍କୁ ଉପସ୍ଥିତ ଲାଗି ଅନୁମତି ମିଳିପାରିବ ବୋଲି ଦର୍ଶାଯାଇଛି। ଏଥିସହ ସୀମିତ ସଂଖ୍ୟାର ହଷ୍ଟେଲ ଖୋଲାଯିବ। କୋଭିଡ୍ କଟକଣା ମାନିବା ଓ ସ୍ବାସ୍ଥ୍ୟ ସଚେତନତା ଲାଗି ଗୋଟିଏ ରୁମ୍ରେ ଏକାଧିକ ପିଲାଙ୍କୁ ରହିବା ଅନୁମତି ଦିଆଯିବ ନାହିଁ ବୋଲି କୁହାଯାଇଛି।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଶ୍ରେଣୀରେ ଅନୁପସ୍ଥିତ ରହି ପିଲାମାନେ ଅନ୍ଲାଇନ୍ କ୍ଲାସ୍ କରିପାରିବେ। ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ ଅନ୍ଲାଇନ୍ ଷ୍ଟଡି ମ୍ୟାଟେରିଆଲ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ। ବିଜ୍ଞାନ, କାରିଗରୀ ଓ ଗବେଷଣାକୁ ଛାଡ଼ି ସମସ୍ତଙ୍କ ଲାଗି ଅନ୍ଲାଇନ୍ କ୍ଲାସ୍ ଯୋଗାଇ ଦିଆଯିବ ବୋଲି ନିଶାଙ୍କ କହିଛନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ଯୋଗାଯୋଗ କରାଯାଇ କଣ୍ଟେନ୍ମେଣ୍ଟ ଜୋନ୍ ଛଡ଼ା ଅନ୍ୟ ସବୁଠାରେ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୟୁଜିସି ପକ୍ଷରୁ ଏନେଇ ଏସ୍ଓପି ପ୍ରସ୍ତୁତ କରାଯାଇଛି।