ଫିଲ୍ମ ହଲ୍‌ରେ ୫୦ ପ୍ରତିଶତ କ୍ଷମତା, ମାତ୍ର ବିବାହରେ କେବଳ ୫୦ ଅତିଥି କାହିଁକି ? ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିବାହମଣ୍ଡପ ମାଲିକ ସଂଘ…

ମୁମ୍ବାଇ, ୧୨।୨ : ମହାରାଷ୍ଟ୍ରରେ କରୋନା ମହାମାରୀ ସଂକ୍ରମଣରେ ଧୀରେଧୀରେ ସୁଧାର ଆସୁଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ କଟକଣାକୁ କୋହଳ କରାଯାଉଛି। ସରକାରଙ୍କ ନୂଆ କଟକଣା ଅନୁସାରେ ରାଜ୍ୟର ସମସ୍ତ ଫିଲ୍ମ ହଲ୍‌ ୫୦ ପ୍ରତିଶତ କ୍ଷମତାରେ ଚାଲିପାରିବ। ସେହିପରି ଭିଡ଼ରୁ ସୁରକ୍ଷା ପାଇଁ ବିବାହ ଉତ୍ସବରେ ୫୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରିବା ଲାଗି ନିର୍ଦ୍ଦେଶ ଜାରି ହୋଇଛି। ଏହାକୁ ନେଇ ନାଗପୁରର ବିବାହମଣ୍ଡପ ମାଲିକ ସଂଘ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ବିବାହରେ ଅତିଥିଙ୍କ ସଂଖ୍ୟା କମ୍‌ କରାଯାଇଥିବା ନେଇ ସଂଘ ପ୍ରଶ୍ନ ଉଠାଇଛନ୍ତି। ଏଭଳି ହେବା ଅନୁଚିତ ବୋଲି ଦାଖଲ କରାଯାଇଥିବା ପିଟିଶନ୍‌ରେ ଉଲ୍ଲେଖ ହୋଇଛିି। ଏଭଳି ହେବା ଦ୍ୱାରା ତାଙ୍କର ଆର୍ଥିକ କ୍ଷତି ହେଉଛି। କଟକଣାରେ ଏଭଳି ପକ୍ଷପାତିତା ହେବା ଠିକ୍‌ ନୁହେଁ ବୋଲି ସଂଘ ଅଭିଯୋଗ କରିଛି। ଏହାଦ୍ୱାରା ସାମ୍ବିଧାନିକ ଧାରା ୧୪, ୧୯(୧)(ଜି) ଏବଂ ୨୧ର ଉଲ୍ଲଂଘନ ହେଉଥିବା ଆବେଦନରେ ଦର୍ଶାଯାଇଛି।

ଆବେଦନକାରୀଙ୍କ ପିଟିଶନ ଅନୁସାରେ ବମ୍ବେ ହାଇକୋର୍ଟ ରାଜ୍ୟ ସରକାର, ନାଗପୁର ଜିଲାପାଳ ଏବଂ ମ୍ୟୁନିସପାଲ କମିଶନରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହି ମାମଲାର ବିଚାର କରି ବିଚାରପତି ସୁନୀଲ ଶିକ୍ରେ ଏବଂ ଅନୀଲ ପାନସାରେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି କାରଣ ଦର୍ଶାୟ ନୋଟିସ୍‌ ଜାରି କରିବା ସହିତ ସମ୍ପୃକ୍ତ ପକ୍ଷକାରଙ୍କଠାରୁ ଉତ୍ତର ଲୋଡ଼ିଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ଫେବୃୟାରୀ ୧୬ରେ ହେବ ବୋଲି ଖଣ୍ଡପୀଠ କହିଛନ୍ତି।

Share