Categories: ଜାତୀୟ

ନ୍ୟାୟପାଳିକାରେ ମହିଳାଙ୍କୁ ମିଳୁ ୫୦% ସଂରକ୍ଷଣ

ନୂଆଦିଲ୍ଲୀ, ୨୭।୯: ନ୍ୟାୟପାଳିକାରେ ମହିଳାମାନଙ୍କ ନିମନ୍ତେ ୫୦ ପ୍ରତିଶତ ସ୍ଥାନ ସଂରକ୍ଷିତ ରଖିବା ଲାଗି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନା ରବିବାର ଆହ୍ବାନ ଦେଇଛନ୍ତି। ଦେଶର ଆଇନ ମହାବିଦ୍ୟାଳୟଗୁଡ଼ିକରେ ଅନୁରୂପ ସଂରକ୍ଷଣ ଦାବିକୁ ସେ ସମର୍ଥନ ଜଣାଇଛନ୍ତି। ଏହା ସେମାନଙ୍କର ଅଧିକାର ଏବଂ ଏଥିପାଇଁ ସେମାନେ ଦାବି କରିବାକୁ ହକ୍‌ଦାର ବୋଲି ସୁପ୍ରିମକୋର୍ଟର ମହିଳା ଆଇନଜୀବୀମାନଙ୍କୁ ଉଦ୍‌ବୋଧନ ଦେବା ଅବସରରେ ସିଜେଆଇ କହିଛନ୍ତି। ଦେଶର ନିମ୍ନ ଅଦାଲତଗୁଡ଼ିକରେ ମହିଳା ବିଚାରପତିଙ୍କ ସଂଖ୍ୟା ୩୦ ପ୍ରତିଶତରୁ କମ୍‌ ରହିଛି। ହାଇକୋର୍ଟଗୁଡ଼ିକରେ ୧୧.୫ ପ୍ରତିଶତ ମହିଳା ବିଚାରପତି ରହିଥିବାବେଳେ ସୁପ୍ରିମକୋର୍ଟରେ ୧୧ରୁ ୧୨ ପ୍ରତିଶତ ରହିଥିବା ଜଷ୍ଟିସ୍‌ ରମନା ସୂଚନା ଦେଇଛନ୍ତି।
ଦେଶରେ ୧୭ ଲକ୍ଷ ଆଇନଜୀବୀ ରହିଥିବାବେଳେ ସେଥିରୁ ମହିଳା ହେଉଛନ୍ତି ମାତ୍ର ୧୫ ପ୍ରତିଶତ। ରାଜ୍ୟ ବାର୍‌ କାଉନ୍‌ସିଲ୍‌କୁ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ମହିଳାଙ୍କ ସଂଖ୍ୟା ମାତ୍ର ୨ ପ୍ରତିଶତ। ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆର ଜାତୀୟ କମିଟିରେ ଜଣେ ହେଲେ ମହିଳା ପ୍ରତିନିଧିତ୍ୱ କରୁ ନ ଥିବାରୁ ଏହା ଉପରେ ସିଜେଆଇ ପ୍ରଶ୍ନ ଉଠାଇଥିଲେ। ବିଶ୍ୱର ମହିଳା ଏକାଠି ହେଲେ ସେମାନେ ଶୃଙ୍ଖଳ ବ୍ୟତୀତ ଅନ୍ୟ କିଛି ହରାଇବାର ନାହିଁ ବୋଲି ସିଜେଆଇ କାର୍ଲ ମାର୍କ୍ସଙ୍କ ଉକ୍ତିକୁ ଉଦ୍ଧାର କରି କହିଥିଲେ।
ମହିଳା ଆଇନଜୀବୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସିଜେଆଇ ସୂଚନା ଦେଇଥିଲେ। ମହିଳା ଓ୍ବାଶ୍‌ରୁମ୍‌ ଏବଂ କାର୍ଯ୍ୟରତ ମାଆମାନଙ୍କ ପାଇଁ କ୍ରେଚ୍‌ ଆଦି ଭିତ୍ତିଭୂମି ଅଭାବରୁ ସେମାନଙ୍କୁ ଅସୁବିଧାଜନକ କାର୍ଯ୍ୟ ପରିବେଶରେ କାମ କରିବାକୁ ପଡ଼ୁଛି। ପ୍ରଧାନ ବିଚାରପତିଙ୍କ ମନ୍ତବ୍ୟକୁ ଜଷ୍ଟିସ୍‌ ବି.ଭି. ନାଗରତ୍ନ ପ୍ରଶଂସା କରିଛନ୍ତି। ୨୦୨୭ରେ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବାକୁ ଯାଉଥିବା ଜଷ୍ଟିସ୍‌ ନାଗରତ୍ନ ସେପ୍ଟେମ୍ବର ୧ରେ ଅନ୍ୟ ୨ ମହିଳା ବିଚାରପତିଙ୍କ ସହ ଶପଥ ଗ୍ରହଣ କରିଥିଲେ। ନ୍ୟାୟ ବ୍ୟବସ୍ଥାରେ ଅଧିକ ମହିଳା ସାମିଲ ହେଲେ ବ୍ୟବସ୍ଥାପିକା, କାର୍ଯ୍ୟନିର୍ବାହୀ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଲିଙ୍ଗଗତ ସମାନତା ବଢ଼ିବ ବୋଲି ଜଷ୍ଟିସ୍‌ ନାଗରତ୍ନ କହିଥିଲେ। ସେଥିପାଇଁ ମହିଳା ଆଇନଜୀବୀମାନେ ସବୁବେଳେ ଭଲ କରିବା ଲାଗି ପ୍ରୟାସ ଜାରି ରଖନ୍ତୁ। ସମୟ ବଦଳିବା ସହ ଉକ୍ତ ପ୍ରୟାସ ସେମାନଙ୍କୁ ଆଗକୁ ନେଇଯିବ ବୋଲି ମହିଳା ବିଚାରପତି କହିଥିଲେ।
ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ ପକ୍ଷରୁ ଆୟୋଜିତ ଅନ୍ୟ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ସିଜେଆଇ କହିଥିଲେ, ସ୍ବାଧୀନତା ପ୍ରାପ୍ତିକୁ ୭୫ ବର୍ଷ ପୂରିଛି। ସବୁ ସ୍ତରରେ ମହିଳାଙ୍କ ପ୍ରତିନିଧିତ୍ୱ ଅନୂ୍ୟନ ୫୦ ପ୍ରତିଶତ ହେବା ଆଶା କରାଯାଏ। ତେବେ ବହୁ କଷ୍ଟରେ ଆମେ ସୁପ୍ରିମକୋର୍ଟର ମହିଳା ବିଚାରପତିଙ୍କ ସଂଖ୍ୟା ୧୧ ପ୍ରତିଶତରେ ପହଞ୍ଚାଇପାରିଛେ ବୋଲି ଜଷ୍ଟିସ୍‌ ରମନା କହିଥିଲେ। ସଂରକ୍ଷଣ କାରଣରୁ କେତେକ ରାଜ୍ୟରେ ମହିଳାଙ୍କ ପ୍ରତିନିଧିତ୍ୱ ବଢ଼ିଥିବାବେଳେ, ଆଇନ ବ୍ୟବସାୟରେ ସେମାନେ ପଛରେ ରହିଯାଇଛନ୍ତି।

Share