ସମ୍ବର୍ଦ୍ଧିତ ହେବେ ୫୦ ହଜାର ପିଲା, ୧୫୦୦ ଶିକ୍ଷକ

ଭୁବନେଶ୍ବର, ୧୧ା୧୧(ବ୍ୟୁରୋ): ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ, ଛାତ୍ରୀଛାତ୍ର ଏବଂ ଶିକ୍ଷକଙ୍କ ମଧ୍ୟରେ ସକାରାତ୍ମକ ପ୍ରତିଯୋଗିତା ମନୋଭାବ ଆଣିବା ପାଇଁ ଚଳିତ ଶିକ୍ଷାବର୍ଷରୁ ‘ଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର’ ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନାରେ ବ୍ଲକ୍‌ ଓ ଜିଲାସ୍ତରୀୟ ପ୍ରତିଯୋଗିତାରୁ ଆରମ୍ଭକରି ରାଜ୍ୟସ୍ତରୀୟ ପୁରସ୍କାର ମହୋତ୍ସବ ଆୟୋଜନ ହେବ। ଉକ୍ତ ପ୍ରତିଯୋଗିତା ମହୋତ୍ସବ ଜରିଆରେ ରାଜ୍ୟର ପ୍ରାୟ ୫୦ ହଜାର ଛାତ୍ରୀଛାତ୍ର, ୧୫୦୦ ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ତଥା ଶିକ୍ଷା ପରିଚାଳନାରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହନ ଏବଂ ସମ୍ବର୍ଦ୍ଧନା ଦିଆଯିବ। ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୧୯୪୧ ବିଦ୍ୟାର୍ଥୀ ଏବଂ ୧୫୫୯ ଶିକ୍ଷୟିତ୍ରୀ/ଶିକ୍ଷକ ଅଂଶଗ୍ରହଣ କରିବେ। ସେହିପରି ଆସନ୍ତା ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବସିଥିବା ଏହି ବୈଠକରେ ‘ସୁରଭି’ କାର୍ଯ୍ୟକ୍ରମ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି।

Share