କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କକୁ ୫୦ହଜାର ଜରିମାନା

କେନ୍ଦ୍ରାପଡ଼ା ଅଫିସ, ୧୬ା୧୧: ନନ୍‌ ପରଫର୍ମିଂ ଆସେଟସ(ଏନ୍‌ପିଏ) ଓ ଅଧିକ କର୍ମଚାରୀ ନିଯୁକ୍ତିକୁ ନେଇ କେନ୍ଦ୍ରାପଡ଼ା ଅର୍ବାନ କୋ ଅପରେଟିଭ ବ୍ୟାଙ୍କ ସମସ୍ୟାରେ ପଡିଛି। ଗତ ଅଗଷ୍ଟ ୨୯ରେ ଗାଇଡ୍‌ ଲାଇନ ଉଲ୍ଲଂଘନ କରିଥିବାରୁ ୧ଲକ୍ଷ ଟଙ୍କା ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆରବିଆଇ) ପକ୍ଷରୁ ଜରିମାନା ହୋଇଥିଲା। ଗତ ୧୪ ତାରିଖରେ ପୁଣି ଥରେ ୫୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ହୋଇଛି। ଆରବିଆଇ ଚିଫ୍‌ ଜେନେରାଲ ମ୍ୟାନେଜର ଯୋଗେଶ ଦୟାଲ ଏନେଇ ଏକ ପ୍ରେସ ରିଲିଜ (ନଂ.୧୧୯୫) ଜାରି କରିଛନ୍ତି।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଅର୍ବାନ କୋ ଅପରେଟିଭ ବ୍ୟାଙ୍କର ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଅର୍ଥନୈତିକ ସ୍ଥିତି ତନଖି ହୋଇଥିଲା। ଏଥିରେ ଆରବିଆଇର କେତେକ ଗାଇଡ୍‌ ଲାଇନ କାର୍ଯ୍ୟକାରୀ ହୋଇନାହିଁ। ଏହି ଅନିୟମିତତା ପାଇଁ ପୂର୍ବରୁ ଜରିମାନା କାହିଁକି ହେବ ନାହିଁ ବୋଲି କାରଣ ଦର୍ଶାଅ ନୋଟିସ ହୋଇଥିଲା। ଏନେଇ ବ୍ୟାଙ୍କ ପକ୍ଷରୁ ପ୍ରଦତ୍ତ ରିପୋର୍ଟର ତର୍ଜମା ପରେ ୧ ଲକ୍ଷ ଟଙ୍କା ଜରିମାନା ହୋଇଥିଲା। ଏପରି କାରଣ ପାଇଁ କେନ୍ଦ୍ରାପଡ଼ା ଅର୍ବାନ କୋ ଅପରେଟିଭ ବ୍ୟାଙ୍କ ସମେତ ଦେଶର ମୋଟ ୯ଟି ବ୍ୟାଙ୍କକୁ ମୋଟ ୧୧.୮୫ ଲକ୍ଷ ଟଙ୍କା ଜରିମାନା ହୋଇଛି। ଓଡ଼ିଶାର ବ୍ରହ୍ମପୁର କୋ ଅପରେଟିଭ ଅର୍ବାନ ବ୍ୟାଙ୍କକୁ ୩.୧୦ ଲକ୍ଷ ଟଙ୍କା, ମହାରାଷ୍ଟ୍ର ଓସମନାବାଦସ୍ଥିତ ଓସମନାବାଦ ଜନତା ସହକାରୀ ବ୍ୟାଙ୍କକୁ ୨.୫ ଲକ୍ଷ ଟଙ୍କା, ଗୁଜରାଟ ମହିସାଗର ଜିଲା ସନ୍ତ୍ରାମପୁରସ୍ଥିତ ସନ୍ତ୍ରାମପୁର ଅର୍ବାନ କୋ ଅପରେଟିଭ ବ୍ୟାଙ୍କକୁ ୨ ଲକ୍ଷ ଟଙ୍କା, ମଧ୍ୟପ୍ରଦେଶ ବାଲଘାଟସ୍ଥିତ ଜିଲା ସହକାରୀ କେନ୍ଦ୍ରୀୟ ବ୍ୟାଙ୍କ ମର୍ଯ୍ୟାଦିତ, ଝାଡ଼ଖଣ୍ଡ, ଜାମସେଦପୁରସ୍ଥିତ ଜାମସେଦପୁର ଅର୍ବାନ କୋ ଅପରେଟିଭ ବ୍ୟାଙ୍କ ଓ ଛତିଶଗଡ଼ ଅମ୍ବିକାଇସ୍ଥ ରେଣୁକା ନାଗରିକ ସହକାରୀ ବ୍ୟାଙ୍କ ମର୍ଯ୍ୟାଦିତକୁ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା କରାଯାଇଛି। ଏହାବ୍ୟତୀତ ମଧ୍ୟପ୍ରଦେଶ ଭୋପାଳସ୍ଥିତ କ୍ରିଷ୍ଣା ମର୍କାଣ୍ଟାଇଲ କୋଅପରେଟିଭ ବ୍ୟାଙ୍କ ଓ କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କକୁ ୫୦ ହଜର ଟଙ୍କା ଲେଖାଏ, ଗୁଜରାଟ ଜାମନଗରସ୍ଥିତ ନବରଙ୍ଗପୁର କୋ ଅପରେଟିଭ ବ୍ୟାଙ୍କୁ ୨୫ ହଜାର ଟଙ୍କା ଫାଇନ କରାଯାଇଛି। ଏସମ୍ପର୍କରେ ଅର୍ବାନ ବ୍ୟାଙ୍କ ସିଇଓ ରାଜୀବ ପଣ୍ଡା କହିଛନ୍ତି, ଋଣ ଗ୍ରହୀତାଙ୍କ ତାଲିକାର କାଟାଗୋରି ରହିବା ପାଇଁ ଗାଇଡ୍‌ ଲାଇନରେ ନିର୍ଦ୍ଦେଶ ଅଛି। ତେବେ ବ୍ୟାଙ୍କକୁ ମିଳିଥିବା ସିଷ୍ଟମରେ ଉଚ୍ଚ, ମଧ୍ୟମ ଓ ନିମ୍ନ ଋ଼ଣ ଗ୍ରହୀତାଙ୍କ ତାଲିକା ରହିବାର ବ୍ୟବସ୍ଥା ନାହିଁ। ଋଣଗ୍ରହୀତାଙ୍କ କାଟାଗୋରି ତାଲିକା ହାତଲେଖା ବ୍ୟବହାର ହେଉ ନ ଥିବାରୁ ଏପରି ସ୍ଥିତି ଉପୁଜିଛି।

Share