ଗୃହଯୁଦ୍ଧ ଗ୍ରସ୍ତ ସୁଦାନରେ ଅନାହାରରେ ୫୦୦ ଶିଶୁ ମୃତ…

ଖାର୍ତୁମ,୨୨।୮ : ସୁଦାନ ସେନା ଏବଂ ସାମରିକ ବାହିନୀ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ ଶିଶୁମାନେ ମୂଲ୍ୟ ଦେଉଛନ୍ତି। ରାଜଧାନୀ ଖାର୍ତୁମରେ ଥିବା ଏକ ସରକାରୀ ଅନାଥ ଆଶ୍ରମରେ ପ୍ରାୟ ୫୦୦ ଶିଶୁଙ୍କର ଅନାହାରରେ ମୃତ୍ୟୁ ଘଟିଛି ବୋଲି ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ଗୋଷ୍ଠୀ ପକ୍ଷରୁ ମଙ୍ଗଳବାର ଏକ ରିପୋର୍ଟରେ ପ୍ରକାଶ ପାଇଛି।

ରିପୋର୍ଟରେ ପ୍ରକାଶ ପାଇଛି ୩୧ ହଜାର ଶିଶୁପୁଷ୍ଟିହୀନତା ଏବଂ ଆନୁଷଙ୍ଗିକ ରୋଗ ପାଇଁ ଚିକିତ୍ସା ପାଇପାରୁ ନାହାଁନ୍ତି। ଅର୍ଥ ଅଭାବରୁ ସୁଦାନରେ ୫୭ଟି ପୁଷ୍ଟିକର କେନ୍ଦ୍ର ବନ୍ଦ ହୋଇ ଯାଇଛି। ସୁଦାନର ଏକ ସଂଗଠନ ସେଭ ଦ ଚାଇଲ୍ଡର ନିର୍ଦ୍ଦେଶକ ଆରିଫ ନୁର କହିଛନ୍ତି ଆମେ କେବେ ଭାବି ନ ଥିଲୁ ଏତେ ସଂଖ୍ୟକ ଶିଶୁ ଭୋକରେ ମରିଯିବେ, କିନ୍ତୁ ବର୍ତ୍ତମାନ ସୁଦାନରେ ଏହା ହେଉଛି ବାସ୍ତବତା। ଆମେ ଦେଖୁଛୁ ଶିଶୁମାନେ ଭୋକରେ ମରୁଛନ୍ତି।

୧୫ ଏପ୍ରିଲରେ ସେନା ଏବଂ ପ୍ରତିଦ୍ୱନ୍ଦ୍ୱୀ ପାରାମିଲିଟାରୀ ଫୋର୍ସ ମଧ୍ୟରେ ମାସେ ମଧ୍ୟରେ ତିକ୍ତତା ସୃଷ୍ଟି ହେବା ପରେ ସୁଦାନ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିଲା। ଏହି ବିବାଦ ଖାର୍ତୁମ ଏବଂ ଅନ୍ୟାନ୍ୟ ସହରାଞ୍ଚଳକୁ ଏକ ଯୁଦ୍ଧକ୍ଷେତ୍ରରେ ପରିଣତ କରିଛି। ଅନେକ ବାସିନ୍ଦା ଜଳ ଓ ବିଦ୍ୟୁତ ବିନା ବାସ କରୁଛନ୍ତି ଏବଂ ଦେଶର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଭୁଶୁଡି ପଡିଛି।

ମିଳିତ ଜାତିସଂଘ ମାନବିକ ଅଧିକାର ଅନୁଯାୟୀ, ସୁଦାନରେ ହୋଇଥିବା ହିଂସାରେ ଅତି କମରେ ୪ ହଜାର ଲୋକଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ତେବେ ସେଠାରେ କାର୍ଯ୍ୟ କରୁଥିବା କର୍ମୀ ଓ ଡାକ୍ତରମାନେ କହିଛନ୍ତି ମୃତ୍ୟୁ ସଂଖ୍ୟା ଅଧିକ ହେବାର ସମ୍ଭାବନା ରହିଛି। ମିଳିତ ଜାତିସଂଘର ସ୍ଥାନାନ୍ତରଣ ଏଜେନ୍ସି ଅନୁଯାୟୀ, ୪୫ ଲକ୍ଷରୁ ଅଧିକ ଲୋକ ସୁଦାନର ସୁରକ୍ଷିତ ଅଞ୍ଚଳକୁ କିମ୍ବା ପଡୋଶୀ ଦେଶକୁ ନିଜ ଘର ଛାଡି ପଳାଇବାକୁ ବାଧ୍ୟ ହୋଇଛନ୍ତି।

 

Share