Categories: ଜାତୀୟ

ଗୁଜରାଟ ବନ୍ଦରରୁ ୫୦୦ କୋଟିର କୋକେନ୍‌ ଜବତ

ଗାନ୍ଧୀନଗର,୨୮।୫: ଅପରେଶନ୍‌ ‘ନମ୍‌କିନ୍‌’ ଜରିଆରେ ଇଣ୍ଟେଲିଜେନ୍ସ ଅଧିକାରୀଙ୍କୁ ମିଳିଛି ବଡ଼ ସଫଳତା। ଗୁଜରାଟର ମୁନ୍ଦ୍ରା ବନ୍ଦରରୁ ୫୨ କିଲୋଗ୍ରାମର କୋକେନ ଜବତ କରିଛି ସ୍ବତନ୍ତ୍ର ଗୋଇନ୍ଦା ବିଭାଗ। ଏହାର ବଜାର ମୂଲ୍ୟ ୫୦୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଲୁଣ ପ୍ୟାକେଟରେ କୋକେନ୍‌କୁ ଲୁଚାଇ ରଖାଯାଇଥିବା ଅଧିକାରୀ କହିଛନ୍ତି। ନମ୍‌କିନ୍‌ ଜରିଆରେ ରାଜସ୍ବ ଗୋଇନ୍ଦା ବିଭାଗ ୨୫ ହଜାର କିଲୋଗ୍ରାମର ଲୁଣ କଣ୍ଟେନରକୁ ଜବତ କରିଥିଲା। ପାଖାପାଖି ଏକ ହଜାର ଲୁଣ ପ୍ୟାକେଟ ସେଠାରେ ମହଜୁଦ ଥିବାବେଳେ ପ୍ୟାକେଟରେ କୋକେନ୍‌ ଗୋଇନ୍ଦା ଅଧିକାରୀଙ୍କୁ ମିଳିଥିଲା। ବିଶେଷ କରି ଇରାନ୍‌ରୁ ମୁନ୍ଦ୍ରା ବନ୍ଦରକୁ ଏହା ଚୋରାଚାଲାଣ କରାଯାଉଥିବା ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଲୁଣ ପ୍ୟାକେଟରୁ ସଂଗୃହୀତ ନମୁନାକୁ ଫୋରେନ୍ସିକ୍‌ ଲାବ୍‌ରେ ପରୀକ୍ଷା କରାଯିବା ପରେ ଏହା କୋକେନ୍‌ ବୋଲି ଜଣାପଡ଼ିଥିଲା। ତେବେ ଏ ପ୍ରକାର ବେଆଇନ୍‌ କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ଜାରି ରହିଥିବା ରାଜସ୍ବ ଗୋଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି।

Share