ରାଜ୍ୟରେ ୫୦୦ମୁହାଁ ଡେଙ୍ଗୁ

ଭୁବନେଶ୍ୱର,୧୨ା୭(ଅସମାପିକା ସାହୁ): ରାଜ୍ୟରେ ଏବେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମାସକରେ ସଂକ୍ରମିତଙ୍କ ସଂଖ୍ୟା ୨ଗୁଣାରୁ ଅଧିକ ବୃଦ୍ଧି ପାଇଛି। ଗତ ମାସ ୧୦ ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଳିଥିବା ସୂଚନାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୩୫ ଥିବାବେଳେ ଏବେ ସୁଦ୍ଧା ରାଜ୍ୟରେ ୪୮୮ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇସାରିଲେଣି। ଏଯାଏଁ ମୋଟ ୩୫,୪୭୦ ଟେଷ୍ଟିଂ ହୋଇଛି। ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୩୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବୁଧବାର ୩୩ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ଷା ଋତୁ ଆସିଥିବାରୁ ରାଜ୍ୟରେ ମ୍ୟାଲେରିଆ ବଢ଼ିଛି। ମଶାବଂଶ ବୃଦ୍ଧିକୁ ରୋକାଯିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି।
ମିଶ୍ରଙ୍କ ସୂଚନାନୁସାରେ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ହୋଇଛି। ଏଥିରେ ସବୁ ବିଭାଗର ସଚିବମାନେ ଉପସ୍ଥିତ ଥିଲେ। ସେମାନଙ୍କୁ ସତର୍କ ରହିବା ସହ ମାର୍ଗଦର୍ଶିକା ଜାରି କରାଯାଇଛି। ମଶାବଂଶ ବୃଦ୍ଧିକୁ ରୋକାଯିବା ପାଇଁ ଆବଶ୍ୟକ

ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ପ୍ରଧାନଶିକ୍ଷକମାନେ ପିଲାଙ୍କୁ ସଚେତନ କରିବାକୁ କୁହାଯାଇଛି। ହଷ୍ଟେଲରେ ମଶାରି ଟାଙ୍ଗି ଶୋଇବାକୁ ମଧ୍ୟ କୁହାଯାଇଛି। ସ୍କୁଲ ପାଖରେ ଯେଭଳି ପାଣି ନ ଜମେ, ଧୂଆଁ ଦିଆଯିବ ସେଥିପାଇଁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Share