Categories: ବାଣିଜ୍ୟ

୫୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ ସର୍ବାଧିକ

ଭୁବନେଶ୍ୱର,୩୧।୫:(ଅନୁରାଧା ମହାରଣା): ଦେଶରେ ପ୍ରଚଳିତ ନୋଟ୍‌ ମଧ୍ୟରେ ୫୦୦ ଟଙ୍କିଆ ନୋଟ୍‌ର ପରିମାଣ ସର୍ବାଧିକ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏହାର ବାର୍ଷିକ ରିପୋର୍ଟରେ କହିଛି ଯେ, ମାର୍ଚ୍ଚ ୨୦୨୪ ସୁଦ୍ଧା ୫୦୦ଟଙ୍କିଆ ନୋଟ୍‌ର ଅଂଶ ୮୬.୫ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ୧ ବର୍ଷ ପୂର୍ବେ ଏହା ୭୭.୧ ପ୍ରତିଶତ ଥିଲା । ଗତ ବର୍ଷ ମେ ମାସରେ ୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର ଘୋଷଣା ହେବା ପରେ ୫୦୦ଟଙ୍କିଆ ନୋଟ୍‌ର ବ୍ୟବହାର ବଢ଼ିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ୨୦୦୦ ଟଙ୍କିଆ ନୋଟ୍‌ର ପରିମାଣ ୧ ବର୍ଷ ପୂର୍ବେ ସମାନ ଅବଧିରେ ୧୦.୮ ପ୍ରତିଶତରୁ ୦.୨ ପ୍ରତିଶତକୁ ଖସି ଆସିଛି।

ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ସର୍ବାଧିକ ୫.୧୬ ଲକ୍ଷ ୫୦୦ ଟଙ୍କିଆ ନୋଟ୍‌ ରହିଥିବାବେଳେ ୨.୪୯ ଲକ୍ଷଟି ୧୦ ଟଙ୍କିଆ ନୋଟ୍‌ ସହ ଦ୍ୱିତୀୟ ସ୍ଥାନରେ ରହିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୩-୨୪ ଆର୍ଥିକ ବର୍ଷରେ ନୋଟ୍‌ଗୁଡିକର ମୂଲ୍ୟ ଏବଂ ପରିମାଣ ଯଥାକ୍ରମେ ୩.୯ ପ୍ରତିଶତ ଏବଂ ୭.୮ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ପୂର୍ବ ଆର୍ଥିକ ବର୍ଷରେ ଏହି ବୃଦ୍ଧି ଯଥାକ୍ରମେ ୭.୮ ପ୍ରତିଶତ ଏବଂ ୪.୪ ପ୍ରତିଶତ ବୃଦ୍ଧି ପାଇଛି।

ତେବେ ୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କାରଣରୁ ନକଲି ନୋଟ୍‌ ଚିହ୍ନଟ ମଧ୍ୟ ସରଳ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ୨,୦୦୦ ଟଙ୍କିଆ ୨୬,୦୦୦ ରୁ ଅଧିକ ନକଲି ନୋଟ୍‌ ଚିହ୍ନଟ ହୋଇଥିବାବେଳେ ୧ ବର୍ଷ ପୂର୍ବେ ୯,୮୦୬ ନକଲି ନୋଟ୍‌ ଚିହ୍ନଟ କରାଯାଇଥିଲା। ତେବେ ଚିହ୍ନଟ ହୋଇଥିବା ନକଲି ୫୦୦ ଟଙ୍କିଆ ନୋଟ୍‌ ସଂଖ୍ୟା ୧ ବର୍ଷ ମଧ୍ୟରେ ୯୧,୧୧୦ ରୁ ୮୫,୭୧୧ କୁ ହ୍ରାସ ପାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ, ଆର୍‌ବିଆଇ ନୋଟ୍‌ ଛାପିବା ପାଇଁ ୫,୧୦୧ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ୧ ବର୍ଷ ପୂର୍ବରୁ ସମାନ ସମୟ ମଧ୍ୟରେ ୪,୬୮୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଲୋକଙ୍କ ମଧ୍ୟରେ ମୁଦ୍ରା ବ୍ୟବହାରକୁ ନେଇ ରିଜର୍ଭ ବ୍ୟାଙ୍କ ମଧ୍ୟ ଏକ ସର୍ଭେ କରିଥିଲା।

ଡିଜିଟାଲ ପେମେଣ୍ଟ ପଦ୍ଧତି ଲୋକପ୍ରିୟ ହେବା ସତ୍ତ୍ୱେ ନଗଦ ଟଙ୍କା କାରବାର କମି ନ ଥିବା ସର୍ଭେରୁ ଜଣାପଡ଼ିଛି।
୨୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର ବିଷୟରେ ଏହି ରିପୋର୍ଟରେ କୁହାଯାଇଛି ଯେ ୨୦୧୬ ରେ ବିମୁଦ୍ରୀକରଣ ପରେ ଆରମ୍ଭ ହୋଇଥିବା ଏହି ନୋଟ୍‌ର ପ୍ରାୟ ୮୯ ପ୍ରତିଶତ ୪ ବର୍ଷରୁ ଅଧିକ ସମୟ ଧରି ପ୍ରଚଳିତ ଥିଲା। ଏହି ନୋଟ୍‌ଗୁଡିକ ସାଧାରଣତଃ କାରବାରରେ ବ୍ୟବହୃତ ହେଉ ନ ଥିଲା ତେଣୁ ଏହାକୁ ପ୍ରତ୍ୟାହର କରିବା ଜରୁରୀ ଥିଲା। ରିପୋର୍ଟ ଅନୁଯାୟୀ, ଜନସାଧାରଣଙ୍କ ନିକଟରେ ଉପଲବ୍ଧ ୨୦୦୦ ଟଙ୍କିଆ ନୋଟ୍‌ ମୂଲ୍ୟର ମୋଟ ୩.୫୬ ଲକ୍ଷ କୋଟି ଟଙ୍କା ମଧ୍ୟରୁ ୯୭.୭ ପ୍ରତିଶତ ମାର୍ଚ୍ଚ ୩୧ ସୁଦ୍ଧା ଫେରସ୍ତ କରାଯାଇଛି।

Share