୫୦୦ ଲୋକ ବନ୍ଧକ, ପ୍ରତିଦିନ ୭୫ ହଜାର ଶିଶୁ ପାଲଟୁଛନ୍ତି ଶରଣାର୍ଥୀ…

କ୍ୱିଭ୍‌, ୧୬।୩ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ୨୧ ଦିନରେ ପହଞ୍ଚିଛି। ୟୁକ୍ରେନ ଦାବି କରିଛି ଯେ ରୁଷିଆର ସେନାର ବହୁତ କ୍ଷତି ହୋଇଛି। ଯୁଦ୍ଧରେ ୧୩,୫୦୦ ରୁଷିଆ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ରୁଷିଆର ବହୁ ସାମରିକ ଉପକରଣ ମଧ୍ୟ ନଷ୍ଟ ହୋଇଯାଇଛି।

ୟୁକ୍ରେନ ଦାବି କରିଛି ଯେ ରୁଷିଆ ସୈନ୍ୟମାନେ ମାରିଅପୋଲର ଏକ ଡାକ୍ତରଖାନାକୁ କବଜା କରି ପ୍ରାୟ ୫୦୦ଲୋକଙ୍କୁ ବନ୍ଧକ ରଖିଛନ୍ତି। ଏଥି ସହ ସହରର ମେୟର କହିଛନ୍ତି ଯେ ଡାକ୍ତର ଏବଂ ରୋଗୀଙ୍କ ସମେତ ବହୁ ଲୋକଙ୍କୁ ବନ୍ଧକ ରଖାଯାଇଛି। ସେମାନଙ୍କୁ ବାହାରକୁ ଆସିବାକୁ ଦିଆଯାଉ ନାହିଁ । ରୁଷିଆର କ୍ରମାଗତ ବୋମା ମାଡ଼ ଯୋଗୁ ୟୁକ୍ରେନ୍‌ରେ ହା ହା କାର ସୃଷ୍ଟି ହୋଇଛି।

ୟୁକ୍ରେନ ସଙ୍କଟ ଉପରେ ୟୁନିସେଫ ଶରଣାର୍ଥୀ ଏଜେନ୍ସିର ଏକ ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ୟୁକ୍ରେନ୍‌ରେ ପ୍ରତି ମିନିଟ୍‌ରେ ୫୫ ଶିଶୁ ୟୁକ୍ରେନର ପଡ଼ୋଶୀ ଦେଶରେ ଶରଣାର୍ଥୀ ହେଉଛନ୍ତି। ଅର୍ଥାତ୍‌ ପ୍ରତି ସେକେଣ୍ଡରେ ଜଣେ ଶିଶୁ ଏବଂ ଗୋଟିଏ ଦିନରେ ପ୍ରାୟ ୭୫ ହଜାର ଶିଶୁ ବାସହରା ହୋଇ ରୋମାନିଆ, ମୋଲଡୋଭା, ସ୍ଲୋଭାକିଆ, ହଙ୍ଗେରୀ ଏବଂ ବେଲାରୁଷ୍‌ରେ ଶରଣାର୍ଥୀ ପାଲଟୁଛନ୍ତି।

Share