କେସିଙ୍ଗା,୯।୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଚାଞ୍ଚେରସ୍ଥିତ ଏକ ସମତା ଇଣ୍ଡଷ୍ଟ୍ରିରୁ ଚୋରା ପିଡିଏସ୍ ଚାଉଳ ଜବତ ହୋଇଛି। ଶନିବାର ରାତିରେ ଚାଉଳ ଅନ୍ଲୋଡ ସମୟରେ ଜିଲା ଯୋଗାଣ ଅଧିକାରୀ ପବିତ୍ର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଯୋଗାଣ ବିଭାଗର ୪ ଜଣିଆ ଟିମ୍ ଓ ପୋଲିସ ଛଢ଼ାଉ କରି ୪ଟି ଗୋଦାମ ଓ ୨ଟି ମୁଖ୍ୟ ଗେଟ୍କୁ ସିଲ କରିଥିଲେ। ଡ୍ରାଇଭର ଗିରଫ ହୋଇଥିବା ବେଳେ ଇଣ୍ଡଷ୍ଟ୍ରି ମାଲିକ ଫେରାର ଅଛନ୍ତି। ରବିବାର ସକାଳେ ଉପଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ କେସିଙ୍ଗା ତହସିଲଦାର ଜ୍ୟୋତିର୍ମୟ କର ମାଜେଷ୍ଟ୍ରିଙ୍କ ଉପସ୍ଥିତିରେ ୫୦୦ରୁ ଊଦ୍ଧର୍ବ କ୍ୱିଣ୍ଟାଲ ଚାଉଳ ଜବତ କରିଛନ୍ତି।
ସୂଚନାଯୋଗ୍ୟ, ଉକ୍ତ ପିଡ଼ିଏସ ଚାଉଳ ଭବାନୀପାଟଣାର ଫେଜ ନଂ. ୧ରୁ ଗତ ଶନିବାର ଏକ ଟ୍ରକ ନଂ. (ଓ.ଡି.୦୮ଇ-୩୦୪୦) ଯୋଗେ ୨୪୦ ବସ୍ତା ଚାଉଳ ବୋଝେଇ କରି ଥୁଆମୂଳ ରାମ ବ୍ଲକର ସିନ୍ଧିପଦର ପଞ୍ଚାୟତକୁ ଯିବାର ଥିଲା। କିନ୍ତୁ ଗାଡି ଡ୍ରାଇଭର ମୁନମୁନ ଦଣ୍ଡସେନା (୩୧) ଭବାନୀପାଟଣାରୁ କେସିଙ୍ଗା ଯାଇଥିବା ଏନଏଚ୍ ୨୬ ପାର୍ଶ୍ୱରେ ଥିବା ଚାଞ୍ଚେର ସମତା ଇଣ୍ଡଷ୍ଟ୍ରିକୁ ନେଇ ୨୪୦ବସ୍ତା ପିଡିଏସ ଚାଉଳ ଅନଲୋଡ ସମୟରେ ଯୋଗାଣ ବିଭାଗ କେସିଙ୍ଗା ପୋଲିସ ଚଢ଼ାଉ କରିଥିଲା।