ଆସିଛି ୫ଶହ, କିଣା ହୋଇଛି ୧୧ଶହ କୁଇଣ୍ଟାଲ ଧାନ

ବିଷମକଟକ, ୧୯।୧୨: ରାୟଗଡ଼ା ଜିଲା ବିଷମକଟକ ବ୍ଲକ ହାଟମୁନିଗୁଡ଼ା ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଉଛି। ଶୁକ୍ରବାର ମଣ୍ଡିକୁ ମାତ୍ର ୫ଶହ କୁଇଣ୍ଟାଲ ଧାନ ଆସିଥିବାବେଳେ ୧୧ଶହ କୁଇଣ୍ଟାଲ ଧାନ କିଣାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହାଛଡ଼ା ଧାନ ବିକିବାକୁ ଆସୁଥିବା ଚାଷୀଙ୍କ ପାଇଁ ମଣ୍ଡିରେ କୌଣସି ବ୍ୟବସ୍ଥା କରାଯାଉ ନ ଥିବା ନେଇ ଅଭିଯୋଗ ମଧ୍ୟ ହୋଇଛି।
ଶୁକ୍ରବାର ହାଟମୁନିଗୁଡା ମଣ୍ଡିକୁ ୧୦ ଗାଡିରେ ୧୦୦୦ ପ୍ୟାକେଟ୍‌ (୫ଶହ କୁଇଣ୍ଟାଲ) ଧାନ ଆସିଥିଲା। କିନ୍ତୁ ଦିନ ଶେଷ ବେଳକୁ କ୍ରୟକାରୀ ସଂସ୍ଥା ୧୧ଶହ.୯୦ କୁଇଣ୍ଟାଲ ଧାନ କିଣିଥିବା ନଥିପତ୍ରରେ ଦର୍ଶାଇଛି। ମିଲର ଏବଂ କ୍ରୟକାରୀ ସଂସ୍ଥାର ସଲାସୁତରାରେ ଏପରି ହୋଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାଛଡ଼ା ଚାଷୀମାନେ ମଣ୍ଡିରେ ଶୋଷଣର ଶୀକାର ହେଉଥିବା ମଧ୍ୟ ଅଭିଯୋଗ ହୋଇଛି। କ୍ରୟକାରୀ ସଂସ୍ଥା ଧାନ କିଣିବା ପରେ ମିଲର ଧାନ ଉଠାଇବା କଥା। କିନ୍ତୁ କୁଇଣ୍ଟାଲ ପ୍ରତି ୧୫୦ରୁ ୨ଶ୦ ଟଙ୍କା ଦେଲେ ଧାନ ଉଠାଇବେ ବୋଲି ମିଲରମାନେ କହୁଥିବା ଚାଷୀ ଅଭିଯୋଗ କରିଛନ୍ତି। ମଣ୍ଡିରେ ଡାକୁଲୁଗୁଡାର ସୁମିତ୍ରା ଗୌଡ୫୦ କୁଇଣ୍ଟାଲ, ସିନ୍ଧିଙ୍ଗାର ଟଙ୍କଧର ରାଉତ ୯୮ କୁଇଣ୍ଟାଲ, ଶ୍ରୀନିବାସ କୁମାର ୫୯ କୁଇଣ୍ଟାଲ ଧାନ ବିକ୍ରି କରିବା ପରେ ମିଲରମାନେ ଧାନ ଉଠାଇବାକୁ ଟଙ୍କା ମାଗୁଥିବା ସେମାନେ କହିଛନ୍ତି। ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ଧାନ ଉଠାଣ ନ ହେବାରୁ ଶ୍ରୀନିବାସ କୁମାର ବିକ୍ରି କରିଥିବା ଧାନକୁ ପୁଣି ନିଜ ଘରକୁ ନେଇ ଯାଇଥିବା କହିଛନ୍ତି। କମ୍‌ ଧାନ ଆସିଥିବାବେଳେ ଅଧିକ କିଣାଯାଇଥିବା ଅଭିଯୋଗ ସମ୍ପର୍କରେ ଲ୍ୟାମ୍ପ୍‌ସ ଏମ୍‌ଡି ଶାନ୍ତନୁ କୁମାର ସାହୁଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରିଛନ୍ତି। କିଣା ଯାଇଥିବା ଧାନକୁ ମିଲରମାନେ ନେବାକୁ ବାଧ୍ୟ ବୋଲି ସେ କହିଛନ୍ତି। ମଣ୍ଡିରେ କୌଣସି ଅଧିକାରୀ ଉପସ୍ଥିତ ରହୁ ନାହାନ୍ତି। ଏପରି ଅବ୍ୟବସ୍ଥା ଲାଗି ରହିଲେ ବାଧ୍ୟ ହୋଇ ଆନ୍ଦୋଳନ କରିବେ ବୋଲି ଚାଷୀମାନେ କହିଛନ୍ତି।