Categories: ଜାତୀୟ

ରାସ୍ତାରେ ଉଡ଼ିଲା ୫୦୦ ଟଙ୍କିଆ ନୋଟ୍‌

ଭୋପାଳ, ୨।୨: ଜାତୀୟ ରାଜପଥରେ ହଠାତ୍‌ ୫୦୦ ଟଙ୍କିଆ ନୋଟ୍‌ ଉଡ଼ିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏଭଳି ଘଟଣା ରବିବାର ମଧ୍ୟପ୍ରଦେଶର ସିଓନି-ନାଗପୁର ରାଜପଥରେ ଘଟିଛି। କିଛି ଲୋକ କାର ବନେଟ୍‌ରେ ୨କୋଟି ଟଙ୍କା ଲୁଚାଇ ନେଉଥିବା ସମୟରେ ଧରା ପଡ଼ିଛନ୍ତି। ବନେଟ୍‌ ଗରମ ହୋଇଯିବାରୁ ଏଥିରେ ଥିବା ଟଙ୍କାରେ ନିଆଁ ଲାଗିଯାଇଥିଲା। ବନେଟ୍‌ରୁ ଧୂଆଁ ବାହାରିଥିଲା। କାର୍‌ର ବନେଟ୍‌ ଖୋଲାଯାଇଥିଲା। ଫଳରେ ଶହ ଶହ ଅଧାପୋଡ଼ା ୫୦୦ ଟଙ୍କିଆ ନୋଟ୍‌ ରାସ୍ତାରେ ଉଡ଼ିବୁଲିଥିଲା। ରାସ୍ତାରେ ଏତେ ସଂଖ୍ୟକ ନୋଟ୍‌ ଦେଖି ଯିବା ଆସିବା କରୁଥିବା ଲୋକେ ଅଟକି ଏହାକୁ ଗୋଟାଉଥିବାର ଦେଖିବାକୁ ମିଳିଥିଲା। ଏସମ୍ପର୍କରେ ରାଜପଥ ନିକଟରେ ଥିବା ବନହାନି ଗାଁ ଲୋକେ ପୋଲିସକୁ ସୂଚନା ଦେଇଥିଲେ। କାର୍‌ରେ ଥିବା ଲୋକେ ଭୟରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ସୁରକ୍ଷିତ ରହିଥିବା ୧ କୋଟି ୭୪ ଲକ୍ଷ ଟଙ୍କାକୁ ପୋଲିସ ଜବତ କରିଛି। ଘଟଣାର ତଦନ୍ତ ଜାରି ରହିଛି। ଇତିମଧ୍ୟରେ ଉତ୍ତରପ୍ରଦେଶର ୩ ଜଣ ଅଭିଯୁକ୍ତଙ୍କୁ ଏହି ମାମଲାରେ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ଜୋନପୁରର ୨ ବାସିନ୍ଦା ସୁନୀଲ ଏବଂ ନ୍ୟାସ୍‌ ଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଆଜମଗଡ଼ର ବାସିନ୍ଦା ହରିଓମ୍‌ ଭାବେ ଚିହ୍ନଟ କରାଯାଇଛି।

Share