୫୦୦ ଆଦିବାସୀ ଗାଁକୁ ଆଦର୍ଶ ଗ୍ରାମ କରାଯିବ: ମନ୍ତ୍ରୀ ନିତ୍ୟାନନ୍ଦ

ଭୁବନେଶ୍ୱର, ୨୨।୮(ସୁନିତ୍‌ ମିଶ୍ର): ଆସନ୍ତା ୫ ବର୍ଷରେ ୫ ଶହ ଆଦିବାସୀ ଗ୍ରାମକୁ ଆଦର୍ଶ ଆଦିବାସୀ ଗ୍ରାମରେ ପରିଣତ କରାଯିବ। ସେହିପରି ଆଦିବାସୀ ବହୁଳ ଜିଲା ଯଥା କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଗଜପତି, କନ୍ଧମାଳ, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରିରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଆଦିବାସୀ ସଂଗ୍ରହାଳୟ ସ୍ଥାପନ କରିବାର ଯୋଜନା ରହିଛି। ୧୬ ଶହ ପ୍ରାଥମିକ ସ୍କୁଲରେ ନୂଆ ହଷ୍ଟେଲ ନିର୍ମାଣ କରାଯିବ। ପ୍ରତି ହଷ୍ଟେଲ ପିଛା ୨ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରଥମ ପର୍ଯ୍ୟାୟରେ ୩୦୧ଟି ହଷ୍ଟେଲର ଉନ୍ନତୀକରଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ଚଳିତ ଆର୍ଥିକ ବର୍ଷରେ ନୂଆ ୫ ଶହ ପ୍ରାଥମିକ ସ୍କୁଲରେ ହଷ୍ଟେଲ ନିର୍ମାଣ ହେବ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ ସୂଚନା ଦେଇଛନ୍ତି। ରାଜ୍ୟରେ ୧୩ ପ୍ରକାରର ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ(ପିଭିଟିଜି) ଲୋକ ୧୪ ଜିଲାର ୧୬୭୯ଟି ଗଁାରେ ବସବାସ କରୁଛନ୍ତି। ତେବେ ସେମାନେ ରହୁଥିବା ଗଁାଗୁଡ଼ିକ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଓ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନରେ ସାମିଲ ହେବ। ଚଳିତ ଆର୍ଥିକ ବର୍ଷରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରୀଛାତ୍ରଙ୍କ ପ୍ର୍ରାକ୍‌ ମାଟ୍ରିକ୍‌ ଛାତ୍ରବୃତ୍ତି ପରିମାଣ ବୃଦ୍ଧି ପାଇବ। ସେଥିଲାଗି ୫୩୨ କୋଟି ୪୮ ଲକ୍ଷ ୭୬ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଛାତ୍ରୀଛାତ୍ରଙ୍କୁ ଦିଆଯାଉଥିବା ଦୈନିକ ମିଲ୍‌ ବାବଦରେ ଅର୍ଥରାଶିକୁ ବୃଦ୍ଧି କରାଯିବ। ୫୦ ଟଙ୍କାରୁ ଅଧିକ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଡ୍ରପ୍‌ଆଉଟ୍‌ ରୋକିବାକୁ ଶହୀଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା ସମେତ ଦ୍ୱାଦଶ ପର୍ଯ୍ୟନ୍ତ ଅନ୍ବେଷା ଯୋଜନା ବୃଦ୍ଧି ପାଇବ। ରାଜ୍ୟର ବିଭିନ୍ନ ସ୍ଥାନରେ ସଂଖ୍ୟାଲଘୁ ସଂସ୍କୃତି କେନ୍ଦ୍ର ନିର୍ମାଣ କରାଯିବା ସହ ଓବିସି ହଷ୍ଟେଲ ମଧ୍ୟ ଗଢ଼ାହେବ। ଶହେ ସ୍କୁଲରେ ଦ୍ୱାଦଶ ପର୍ଯ୍ୟନ୍ତ ପାଠପଢ଼ା ନେଇ ବ୍ୟବସ୍ଥା କରାଯିବ। ତେବେ ଚଳିତ ଆର୍ଥିକ ବର୍ଷରେ ଏହି ବିଭାଗର କାର୍ଯ୍ୟକ୍ରମ ବ୍ୟୟ ଅଟକଳ ବାବଦରେ ୪୫୫୭ କୋଟି ୩୩ ଲକ୍ଷ ୧ ହଜାର ଟଙ୍କା, ପ୍ରଶାସନିକ ବ୍ୟୟ ବାବଦରେ ୧୧୯୨ କୋଟି ୪୪ ଲକ୍ଷ ୯୦ ହଜାର ଟଙ୍କା ବ୍ୟୟବରାଦ କରାଯାଇଛି। ମୋଟ ୫୭୪୯ କୋଟି ୭୯ ଲକ୍ଷ ୯୧ ହଜାର ଟଙ୍କାର ବ୍ୟୟବରାଦ ହୋଇଛି; ଯାହା ଗତ ଆର୍ଥିକ ବର୍ଷର ମୂଳ ବଜେଟ ଅଟକଳର ପରିମାଣରୁ ୨୩ ପ୍ରତିଶତ ଅଧିକ। ଗତବର୍ଷ ଏହା ୪୬୫୧.୭୭ କୋଟି ଥିବା ମନ୍ତ୍ରୀ ଗଣ୍ଡ ଉଲ୍ଲେଖ କରିଛନ୍ତି।

Share